ଗୁରୁ ବ୍ରହ୍ମା ସମ୍ପର୍କିତ – ସ୍ବାମୀଙ୍କ ଦିବ୍ୟ ସମ୍ଭାଷଣ
ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ
ଗୁରୁର୍ଦେବୋ ମହେଶ୍ୱରଃ
ଗୁରୁ଼ଃ ସାକ୍ଷାତ ପରଂବ୍ରହ୍ମ
ତସ୍ମୈ ଶ୍ରୀ ଗୁରବେ ନମଃ ||
“ଗୁରୁ ହିଁ ବ୍ରହ୍ମା, ଗୁରୁହିଁ ବିଷ୍ଣୁ, ଗୁରୁହିଁ ମହେଶ୍ୱର। ଗୁରୁଙ୍କୁ ତୁମର ସବୁକିଛି ବୋଲି ମନେକର। ସମସ୍ତେ ଦିବ୍ୟତ୍ୱର ସ୍ଵରୂପ। ବସ୍ତୁତଃ ଯାହା କିଛି ତୁମେ ଅବଲୋକନ କରୁଛ ସେ ସବୁକିଛି ବିଶ୍ଵ ବିରାଟ ସୁରୂପ ବ୍ୟତୀତ ଅନ୍ୟ କିଛି ନୁହେଁ”।
‘ଗୁରୁ’ ଶବ୍ଦର ଅର୍ଥ ଯିଏ ଅଜ୍ଞାନର ଅନ୍ଧକାରକୁ ଦୂର କରିଥାଆନ୍ତି। ‘ଗୁ’ ଅର୍ଥ ଯିଏ ସବୁ ପ୍ରକାର ଗୁଣର ଉର୍ଦ୍ଧ୍ବରେ। ‘ରୁ’ ଅର୍ଥ ଯେ ସବୁ ରୂପର ଉର୍ଦ୍ଧ୍ବରେ। ଏହା କେବଳ ଈଶ୍ୱରଙ୍କୁ ସୂଚିତ କରେ। ତେଣୁ ଗୁରୁଙ୍କୁ ବ୍ରହ୍ମା ବିଷ୍ଣୁ ଓ ଶିବ (ହିନ୍ଦୁ ମାନଙ୍କର ତ୍ରିଦେବ) ରୂପେ ବନ୍ଦନା କରାଯାଏ। କେବଳ ଭଗବାନ ହିଁ ପ୍ରକୃତ ଗୁରୁ। ଅନ୍ୟ ସମସ୍ତେ କେବଳ ଶିକ୍ଷକ, ମହାବିଦ୍ୟାଳୟର ଭିନ୍ନ ଭିନ୍ନ ବିଷୟର ଶିକ୍ଷକ ମାନଙ୍କ ପରି। ଗୁରୁ ସେ ଯିଏ ଶିଷ୍ୟକୁ ଗୁରୀ ବା ଲକ୍ଷ୍ୟ ସମ୍ପର୍କରେ ସୂଚନା ଦିଅନ୍ତି। ଏଠାରେ ଗୁରୀ ଅର୍ଥ ଆତ୍ମ ତତ୍ତ୍ଵ।
[ଭଗବାନ ଶ୍ରୀ ସତ୍ୟ ସାଇ ବାବା [ଦିବ୍ୟ ସମ୍ଭାଷଣ: ୨୦ ଜୁଲାଇ ୧୯୯୭]
ଗୁରୁ ହିଁ ବ୍ରହ୍ମା, ସେ ସୃଷ୍ଟି କର୍ତ୍ତା, ସେ ନିଜେ ହିଁ ସୃଷ୍ଟି ଏବଂ ସେ ହିଁ ସୃଷ୍ଟିରେ ପରିବ୍ୟାପ୍ତ। ବିଶ୍ଵ ବ୍ରହ୍ମାଣ୍ଡ ବ୍ରହ୍ମଙ୍କ ଦ୍ଵାରା ହିଁ ପରିପୂର୍ଣ୍ଣ। ଏହା ସୁସ୍ପଷ୍ଟ ଯେ, ଯିଏ ନିଜକୁ ବିଶ୍ୱାତ୍ମକ କରିପାରିଛନ୍ତି, ସେ ହିଁ ଗୁରୁ।
ଗୁରୁ ହିଁ ବିଷ୍ଣୁ। ବିଷ୍ଣୁ କିଏ? ବିଷ୍ଣୁ ହେଉଛନ୍ତି ସେ ଯିଏ ସର୍ବବ୍ୟାପୀ, ସେ ହିଁ କର୍ତ୍ତା ଓ ସେ ହିଁ କର୍ମ। ବିଶ୍ଵ ବ୍ରହ୍ମାଣ୍ଡ ହିଁ କାର୍ଯ୍ୟ, ଈଶ୍ୱର ହିଁ କର୍ତ୍ତା। କାର୍ଯ୍ୟ ଓ କାରଣର ପଶ୍ଚାତ ପଟରେ ଈଶ୍ୱର ହିଁ ଚେତନା। ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ହିଁ ବିଷ୍ଣୁଙ୍କ ସ୍ୱରୂପ ଏହି ବିଷ୍ଣୁ ହିଁ ଗୁରୁ।
ଗୁରୁ ହିଁ ମହେଶ୍ୱର। ମହେଶ୍ୱର କିଏ? ସେ ହିଁ ମହେଶ୍ୱର ଯିଏ ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ପ୍ରାଣୀମାନଙ୍କୁ ଲାଳନ ପାଳନ କରିଥାନ୍ତି। ସେ ହିଁ ବ୍ରହ୍ମାଣ୍ଡର ସବୁକିଛିକୁ ସଠିକ୍ ଉପାୟରେ ନିର୍ଦ୍ଦେଶ ଦିଅନ୍ତି ଓ ପରିଚାଳନା କରନ୍ତି। ତାଙ୍କର ନିର୍ଦ୍ଦେଶରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହୋଇଥାଏ। ଋତୁଚକ୍ର, ବର୍ଷା, ଦିନ ଓ ରାତି ତାଙ୍କରି ନିର୍ଦ୍ଦେଶର ପରିଣାମ। ଈଶ୍ୱର ହିଁ ସେ ଯିଏ କି କୌଣସି ବ୍ୟତିକ୍ରମେ ବିନା ସବୁକିଛିକୁ ଶୃଙ୍ଖଳାର ଅନୁସରଣ କରାଇଥାଆନ୍ତି। ଗୁରୁ ସେ ନୁହନ୍ତି ଯିଏ କେବଳ ଶିକ୍ଷା ଦିଅନ୍ତି।
ଗୁରୁ ହିଁ ସର୍ବ ଶକ୍ତିମାନ, ସର୍ବବିଦ୍ୟମାନ୍ ଓ ସର୍ବଜ୍ଞ। ସେ ନିଜେ ହିଁ ଭଗବାନ। ଗୁରୁ ପୂର୍ଣ୍ଣିମା ଅର୍ଥ ବିକାର-ରହିତ ପୂର୍ଣ୍ଣଚନ୍ଦ୍ର। ଚନ୍ଦ୍ର ମନ ବ୍ୟତୀତ କିଛି ନୁହେଁ। ଯେତେବେଳେ ମନ ସମ୍ପୂର୍ଣ୍ଣ ତୃଟିଶୂନ୍ୟ ହୁଏ, ଏହା ଆଲୋକ ବିକିରଣ କରେ। ଗୁରୁପୂର୍ଣ୍ଣିମା କେବଳ ଗୁରୁଙ୍କର ପ୍ରଦକ୍ଷିଣ ବା ଗୁରୁଙ୍କୁ ନୈବେଦ୍ୟ ଅର୍ପଣ ପୂର୍ବକ ପାଳନ କରାଯାଏ ନାହିଁ। ପ୍ରକୃତ ନୈବେଦ୍ୟ କ’ଣ? ଏହା ନିଜ ପ୍ରେମର ସମର୍ପଣ। ସର୍ବତ୍ର ଈଶ୍ୱର ବିଦ୍ୟମାନ ବୋଲି ଜାଣିବା ହିଁ ପ୍ରଦକ୍ଷିଣ। ଏହି ସବୁ କଥା ଯଦି ତୁମେ ହୃଦୟଙ୍ଗମ କର, ତେବେ ପ୍ରତ୍ୟେକ ଦିନ ହେବ ଗୁରୁ ପୂର୍ଣ୍ଣିମା। କେବଳ ଜଣେ ହିଁ ଗୁରୁ। ସେ ହେଉଛନ୍ତି ଭଗବାନ ଏବଂ ଅନ୍ୟ କେହି ଗୁରୁ ନାହାନ୍ତି। ସେହି ଗୁରୁଙ୍କୁ ଧ୍ୟାନ କର।
[ଭଗବାନ ଶ୍ରୀ ସତ୍ୟ ସାଇ ବାବା [ଦିବ୍ୟ ସମ୍ଭାଷଣ: ୧୪ ଜୁଲାଇ ୧୯୯୨]
ଗୁଣ ସମୂହ ଓ ତ୍ରିମୂର୍ତ୍ତୀ
ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଆକାର ଥିବା ସତ୍ତା ନୁହନ୍ତି । ତ୍ରିଦେବ ତିନୋଟି ଗୁଣର ଦିବ୍ୟ ପରିପ୍ରକାଶ ଅଟନ୍ତି । ପୁରାଣମାନେ ଭୁଲ୍ ବଶତଃ ବ୍ରହ୍ମାଙ୍କୁ ଚତୁର୍ମୁଖ ବିଶିଷ୍ଟ ସୃଷ୍ଟିକର୍ତ୍ତା ଭାବେ ବର୍ଣ୍ଣନା କରିଛନ୍ତି । ଏହା ଠିକ୍ ନୁହେଁ । ବସ୍ତୁତଃ ଏହି ତ୍ରିଦେବ ତିନି ଗୁଣର ପ୍ରତିନିଧିତ୍ଵ କରନ୍ତି । ପ୍ରକୃତିର ପାଞ୍ଚୋଟି ମୌଳିକ ଶକ୍ତି ହେଉଛି ପୃଥ୍ବୀ, ଅପ୍, ଅଗ୍ନୀ, ବାୟୁ ଓ ଆକାଶ । ତୁମେ ଯଦି ସୃଷ୍ଟିର ପ୍ରକ୍ରିୟା ବୁଝିବାକୁ ଚାହଁ ତା’ହେଲେ ଏହି ତତ୍ତ୍ଵ ଗୁଡ଼ିକର ଓଲଟା ସରଂଚନାକୁ ବୁଝିବାକୁ ହେବ । ଆକାଶରୁ ଆରମ୍ଭ କଲେ ତାର ପଛକୁ ପଛ ରହିବେ ବାୟୁ, ଅଗ୍ନି, ଜଳ ଓ ପୃଥିବୀ । ଦୁଇଟି ଉପାୟରେ ପ୍ରକୃତିକୁ ବୁଝିବାକୁ ହେବ । ଗୋଟିଏ ହେଲା ସୃଷ୍ଟିର ପ୍ରକ୍ରିୟାକୁ ଭିତ୍ତିକରି ଓ ଅନ୍ୟଟି ନିତିଦିନ ଅନୁଭୂତିକୁ ଭିତ୍ତିକରି । ସେହିପରି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ କ୍ରମ ଅନୁସାରେ ସୃଷ୍ଟି ସହ ସମ୍ପର୍କିତ କରି ଦେଖିଲେ ଏହାକୁ ମଧ୍ୟ ଓଲଟାଇବାକୁ ପଡ଼ିବ । ଯଥା ଇଶ୍ଵର, ବିଷ୍ଣୁ ଓ ବ୍ରହ୍ମା । ସର୍ବ ପ୍ରଥମେ, ଈଶ୍ୱରଙ୍କ ତତ୍ତ୍ଵ କ’ଣ ପ୍ରତିପାଦିତ କରେ ? ଗୀତା ଉଦ୍ ଘୋଷଣା କରେ, “ଈଶ୍ୱର ସର୍ବଭୂତାନାମ୍ ହୃଦ୍ ଦେଶେ ଅର୍ଜୁନ ତିଷ୍ଠତି” ( ହେ ଅର୍ଜୁନ, ଈଶ୍ୱର ସବୁ ପ୍ରାଣୀମାନଙ୍କ ହୃଦୟରେ ବାସ କରନ୍ତି ) । ତେଣୁ ଈଶ୍ୱର ଅର୍ଥ ହୃଦୟର ପ୍ରଭୁ ।
ସେ ପ୍ରତ୍ୟେକଙ୍କ ହୃଦୟକୁ ଆାଲୋକିତ କରନ୍ତି । ଏହାର ଅର୍ଥ ଈଶ୍ୱରଙ୍କ ଦିବ୍ୟଶକ୍ତି ସମସ୍ତଙ୍କ ହୃଦୟରେ ବିରାଜିତ । ହୃଦୟର ଅଧିଶ୍ୱର ଭାବେ ଈଶ୍ୱରଙ୍କୁ ‘ ଆତ୍ମା ‘ ଭାବେ ନାମିତ କରାଯାଏ ।
ହୃଦୟରୁ ହିଁ ମନ ଉତ୍ପନ୍ନ ହୋଇଅଛି । ମନ ବିଷ୍ଣୁ ତତ୍ତ୍ଵର ପ୍ରତୀକ । ବିଷ୍ଣୁ ହେଉଛନ୍ତି ସେ ଯିଏ ସର୍ବବ୍ୟାପୀ । ମନ ମଧ୍ୟ ସର୍ବବ୍ୟାପୀ । ଏହା କୁହାଯାଏ ଯେ ‘‘ମନୋମୂଳମିଦମ୍ ଜଗତ୍’’ (ଜଗତର ଆଧାର ହେଉଛି ମନ) । ମନ ସମଗ୍ର ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ । ତେଣୁ ଏହା ବିଷ୍ଣୁ ତତ୍ତ୍ଵକୁ ପ୍ରତିପାଦିତ କରେ ।
ପରମ୍ପରାଗତ ଭାବେ ବ୍ରହ୍ମାଙ୍କୁ ବିଷ୍ଣୁଙ୍କ ନାଭିରୁ ଜାତ ବୋଲି ବର୍ଣ୍ଣନା କରାଯାଇଛି। ମନରୁ ହିଁ ବାକ୍ ଶକ୍ତି ଜାତ। ବାକ୍ ହେଉଛି ବ୍ରହ୍ମାଙ୍କର ପ୍ରତିକ। ତେଣୁ ଅନ୍ୟ ନାମ ଗୁଡିକ ସହ ବହ୍ମାଙ୍କର ଆଉ ଗୋଟିଏ ନାମ ହେଉଛି ‘ଶବ୍ଦ ବ୍ରହ୍ମମୟୀ’ (ଶବ୍ଦବ୍ରହ୍ମ)। ଏହିପରି ଭାବେ ଈଶ୍ୱର ବିଷ୍ଣୁ ଓ ବ୍ରହ୍ମା ହୃଦୟ ମନ ଓ ବାକ୍ ଶକ୍ତିର ପ୍ରତୀକ ଅଟନ୍ତି। ଏହି ତିନୋଟିର ସନ୍ଵୟ ହିଁ ଆତ୍ମା। ତେଣୁ ଏହି ତ୍ରିଦେବଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ତ୍ରିବିଧ ରୂପରେ ଶ୍ରେଷ୍ଠ ଗୁରୁ ଭାବେ ଆରାଧନା କରାଯିବା ଉଚିତ୍।
ପରମ ଗୁରୁ
- ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ
- ଗୁରୁର୍ଦେବୋ ମହେଶ୍ୱରଃ
- ଗୁରୁ଼ଃ ସାକ୍ଷାତ ପରଂବ୍ରହ୍ମ
- ତସ୍ମୈ ଶ୍ରୀ ଗୁରବେ ନମଃ ||
ଜଣେ ସାଧାରଣ ଶିକ୍ଷକର ଭୂମିକାକୁ ଉତ୍ଥିତ କରି, ଦିବ୍ୟ ତତ୍ତ୍ୱକୁ ଖଣ୍ଡବିଖଣ୍ଡିତ କରି ଏବଂ ଏଥିରେ ସନ୍ନିବେଶିତ ଏକତ୍ଵର ତତ୍ୱକୁ ପାଶୋରି ଯାଇ, ଏକ ପବିତ୍ର ଗଭୀର ଅନ୍ତରାର୍ଥ ଥିବା ଏହି ଶ୍ଲୋକଟିକୁ ଏକ ବିକୃତ ଅର୍ଥ ପ୍ରଦାନ କରାଯାଇଛି।
ଗୁରୁର୍ବ୍ରହ୍ମା: ଏଠାରେ ଯେଉଁ ବ୍ରହ୍ମାଙ୍କ କଥା କୁହାଯାଇଛି, ସେ ସୃଷ୍ଟି କର୍ତ୍ତା ନୁହନ୍ତି। ଏହା ବାକ୍ କୁ ସୂଚିତ କରେ। ଗୁରୁବିଷ୍ଣୁ ଅର୍ଥ ସର୍ବବ୍ୟାପୀ ମନ, ଯାହା ସମସ୍ତଙ୍କଠାରେ ବିଦ୍ୟମାନ। ଏହା ହିଁ ବିଷ୍ଣୁ ତତ୍ତ୍ଵ।
ଗୁରୁର୍-ଦେବୋମହେଶ୍ୱରଃ: ଏହା ହୃଦୟକୁ ସୂଚିତ କରେ।
ଗୁରୁ-ସାକ୍ଷାତ୍ ପରଂବ୍ରହ୍ମ: ଏହାର ଅର୍ଥ, ବାକ୍, ମନ ଓ ହୃଦୟର ଏକତ୍ଵ ହିଁ ପରମାତ୍ମା, ଯେ କି ଗୁରୁ ରୂପେ ପୁଜ୍ୟ।
ଗୁଣ ଓ ଜଗତ
ଗୁରୁଙ୍କର ଭୂମିକା କ’ଣ? ଏହା ହେଉଛି ଅଜ୍ଞାନର ଅନ୍ଧକାରକୁ ସମ୍ପୂର୍ଣ ଦୂର କରିବା। ଯେ ପର୍ଯ୍ୟନ୍ତ ତିନି ଗୁଣ ଅଛନ୍ତି, ସେ ପର୍ଯ୍ୟନ୍ତ ଅନ୍ଧକାରରୁ ମୁକ୍ତି ନାହିଁ। ଯେତେବେଳେ ଜଣେ ଏହି ତିନିଗୁଣକୁ ଅତିକ୍ରମ କରିଯିବ, ସେ ଗୁରୁ ପଦବାଚ୍ୟ ହେବ। ଏହାର ବିକଳ୍ପରେ, ଜଣେ ଯେତେବେଳେ ଏହି ତିନି ଗୁଣର ଏକତ୍ତ୍ୱକୁ ଉପଲବ୍ଧ କରିପାରିବ ଗୁରୁଙ୍କର ସନ୍ଦେଶକୁ ବୁଝିପାରିବ। ଏହି ତିନିଗୁଣର ଏକତ୍ତ୍ୱର ତାତ୍ପର୍ଯ୍ୟ ଗୀତାର ଏହି ଉଦ୍ଘୋଷଣାରେ ସନ୍ନିବେଶିତ- “ମମାତ୍ମା ସର୍ବଭୂତାନ୍ତରାତ୍ମା” (ମୋର ଆତ୍ମା ହିଁ ସବୁ ପ୍ରାଣୀମାନଙ୍କର ଅନ୍ତରାତ୍ମା) ସବୁ ପ୍ରାଣୀ ମାନଙ୍କଠାରେ ବାସ କରୁଥିବା ଆତ୍ମା ଏକ। “ଏକୋବାସୀସର୍ବଭୂତାନ୍ତରାତ୍ମା” (ସବୁ ପ୍ରାଣୀ ମାନଙ୍କର ଅନ୍ତରର ଆତ୍ମା) ଏକତ୍ତ୍ୱର ଏହି ମୌଳିକ ସିଦ୍ଧାନ୍ତକୁ ଭୁଲିଯାଇ ଓ ବହୁବିଧତାରେ ହଜିଯାଇ, ମନୁଷ୍ୟର ଶାନ୍ତି ନାହିଁ।
ତିନିଗୁଣର ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟ ହେତୁ ସୃଷ୍ଟିର ପ୍ରକିୟା, କ୍ରମବିକାଶ ଓ ବିନାଶ ହୋଇଥାଏ। ଏହି ତିନି ଗୁଣ ହେଉଛନ୍ତି ବ୍ରହ୍ମାଣ୍ଡର ମୌଳିକ ଉତ୍ସ, ଆଧାର ଓ ପ୍ରାଣ ଶକ୍ତି। ପ୍ରକୃତିର ପରିପ୍ରକାଶ ଓ ରୂପାନ୍ତରଣର ପାଇଁ ସେମାନେ ହିଁ ଦାୟୀ। ଏହି ତିନିଗୁଣର ଭିନ୍ନ ଭିନ୍ନ ପ୍ରତିଶତର ସଂଯୋଗ ଓ ବିନିମୟହିଁ ଜଗତର ଅସଂଖ୍ୟ ବିବିଧତାର କାରଣ।
ତ୍ରିମୂର୍ତ୍ତି ଓ ତାଙ୍କର ରଙ୍ଗ:
ତିନି ଗୁଣକୁ ତିନୋଟି ରଙ୍ଗରେ ଆରୋପିତ କରାଯାଇଅଛି।
ସାଧାରଣତଃ ଏହା ବିଶ୍ୱାସ କରାଯାଏ ଯେ ବିଷ୍ଣୁ ସତ୍ତ୍ୱଗୁଣର ପ୍ରତିନିଧିତ୍ଵ କରନ୍ତି| କିନ୍ତୁ ଏହା ସେହିପରି ନୁହେଁ। ସତ୍ତ୍ୱଗୁଣ ପ୍ରକୃତରେ ଈଶ୍ୱରଙ୍କ ଗୁଣ। ଏହା ମାୟାର ବଶୀଭୂତ ନୁହେଁ। ଯୋଗ ନିନ୍ଦ୍ରା ଅବସ୍ଥାରେ ଏହା ଚିତ୍ ଶକ୍ତି (ସଚେତନତାର ଶକ୍ତି) ପ୍ରାପ୍ତ କରେ ଓ ଶୁଦ୍ଧ ଆତ୍ମା ସଦୃଶ ପ୍ରତୀୟମାନ ହୁଏ। ତେଣୁ ସତ୍ତ୍ୱ ଈଶ୍ୱର ତତ୍ତ୍ଵକୁ ସୂଚିତ କରେ। ଏହାର ରଙ୍ଗ ଶୁଭ୍ର।
ରଜଗୁଣ ପସନ୍ଦ ଓ ଅପସନ୍ଦ ଦ୍ଵାରା ନିଜର ପରିପ୍ରକାଶ କରେ। ଏହା ବ୍ରହ୍ମାଙ୍କ ସହ ସମ୍ପର୍କିତ। କିନ୍ତୁ ଏହା ଠିକ ନୁହେଁ। ଏହି ଗୁଣ ବିଷ୍ଣୁଙ୍କ ସହ ସମ୍ବନ୍ଧିତ। ବିଷ୍ଣୁଙ୍କୁ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ରୂପେ ବର୍ଣ୍ଣନା କରାଯାଇଅଛି। ବିଷ୍ଣୁଙ୍କୁ ଅଳଙ୍କାର ସ୍ୱରୂପ ବୋଲି ବର୍ଣ୍ଣନା କରାଯାଇଛି – ଯିଏ ସାଜ୍ଜସଜ୍ଜରେ ସୁଶୋଭିତ ହୋଇଥାନ୍ତି। ବିଷ୍ଣୁଙ୍କର ଆଉ ଏକ ନାମ ବିଶ୍ଵମ୍ଭର – ଯିଏ ବିଶ୍ୱକୁ ସୁରକ୍ଷା ପ୍ରଦାନ କରନ୍ତି ଓ ଶାସନ କରନ୍ତି। ଜଣେ ରାଜା ବା ଶାସକ ରୂପେ ତାଙ୍କର ଗୁଣ ହେଉଛି ରଜୋଗୁଣ। ରଜୋଗୁଣର ରଙ୍ଗ ଲାଲ।
ତାପରେ ଅଛନ୍ତି ବ୍ରହ୍ମା। ବ୍ରହ୍ମାଙ୍କୁ ରଜ ଗୁଣ ସମ୍ପନ୍ନ ବୋଲି କୁହାଯାଏ। ଏହା ଭୁଲ। ବ୍ରହ୍ମା ତମୋଗୁଣର ପ୍ରତିନିଧିତ୍ବ କରନ୍ତି। ତମୋ ଗୁଣ ମୂର୍ଖତ୍ତ୍ୱମ (ବିଚାରଶକ୍ତି ହୀନ) ଏବଂ ଅନ୍ଧକାର (ଅଜ୍ଞାନତାର ଅନ୍ଧକାର) ସହ ଜଡିତ| ଏହା ମମକାର (ଅଧିକାରାତ୍ମକ) ଏବଂ ଅଭିମାନ (ଆସକ୍ତି) ରେ ପରିପୂର୍ଣ୍ଣ । ଏହି ଦୁଇ ଆବେଗ ହିଁ ସୃଷ୍ଟିର କାରଣ। ଯଦି ମୁଁ ଏବଂ ମୋର ଭାବନା ନଥାଏ, ସୃଷ୍ଟି ପ୍ରକ୍ରିୟା କ୍ରମାଗତ ଚାଲୁନଥାନ୍ତା – ଏହି ଦୁଇଟି ହିଁ ତମୋଗୁଣର ନିଦର୍ଶନ ଯାହା କଳା ରଙ୍ଗ ଦ୍ୱାରା ଚିହ୍ନିତ ହୋଇଥାଏ। ଧଳା, ଲାଲ ଏବଂ କଳା ହେଉଛନ୍ତି ତିନୋଟି ଗୁରୁତ୍ଵପୂର୍ଣ୍ଣ ରଙ୍ଗ । ସବୁ ରଙ୍ଗଗୁଡିକ ଏହି ତିନୋଟିରେ ଲୀନ ହୋଇଯାନ୍ତି।
ସେହିପରି ସଂସାରରେ ସତ୍ତ୍ୱଗୁଣ, ରଜଗୁଣ ବା ତମୋଗୁଣ ଧାରୀ ବ୍ୟକ୍ତିମାନେ ଥାଆନ୍ତି ଏବଂ ସେମାନେ ଏହି ତିନିରଙ୍ଗ ଭିତରୁ ଗୋଟିଏ ବା ଅନ୍ୟଟି ଦ୍ୱାରା ଚିହ୍ନିତ ହୋଇଥାନ୍ତି।
[(ଉତ୍ସ: ଗୁରୁ ପୁର୍ଣିମାରେ ପୂର୍ଣଚନ୍ଦ୍ର ଅଡିଟୋରିୟମ ଠାରେ ଭଗବାନ ବାବାଙ୍କ ଦିବ୍ୟ ସମ୍ଭାଷଣ ୨୯ ଜୁଲାଇ୧୯୮୮)]