ଗୁରୁର୍ବ୍ରହ୍ମା
ମହାନ୍ ଋଷି ଧୌମ୍ୟଙ୍କର ଅନେକ ଶିଷ୍ୟଥିଲେ। ଦିନେ ଏକ ହୃଷ୍ଟପୃଷ୍ଟ ବାଳକ ଧୌମ୍ୟଋଷିଙ୍କ ଆଶ୍ରମରେ ପ୍ରବେଶ କଲା। ସେ ଧୂଳିଧୂସରିତ ହୋଇଥିଲା। ସେ ପିଲାଟିର ନାମ ଥିଲା ଉପମନ୍ୟୁ। ସେ ଋଷିଙ୍କୁ ତାକୁ ଛାତ୍ର ଭାବରେ ଗ୍ରହଣ କରି ଜ୍ଞାନ ପ୍ରଦାନ କରିବାକୁ ଅନୁରୋଧ କଲା। ଋଷି ଉପମନ୍ୟୁଙ୍କୁ ସ୍ୱୀକାର କଲେ ଓ ତାକୁ ଅନ୍ୟ ଛାତ୍ରମାନଙ୍କ ସହ ରଖିଲେ।
ଉପମନ୍ୟୁ ପାଖରେ ଅନେକ ଭଲଗୁଣର ଅଭାବ ଥିଲା, ଯାହା ଏକ ଛାତ୍ରପାଖରେ ରହିବା କଥା। ପ୍ରଥମତଃ ଶାସ୍ତ୍ର ଶିଖିବାରେ ତା’ର ଅଧିକ ଆଗ୍ରହ ନ ଥିଲା, ଯେହେତୁ ତାହା ତାକୁ ଭାରି କଷ୍ଟ ଲାଗୁଥିଲା। ଟିକେ ନିର୍ବୁଦ୍ଧିଆ ଥିବାରୁ ସେ କିଛି ମନେ ରଖି ପାରୁ ନଥିଲା। ସେ ମଧ୍ୟ ଆଜ୍ଞା ବହ ନଥିଲା। ଧୌମ୍ୟଋଷି ଅତ୍ୟନ୍ତ ପ୍ରଜ୍ଞାବାନ ଏବଂ ପ୍ରକୃତ ଅର୍ଥରେ ଜଣେ ଗୁରୁଥିଲେ। ସେ ଜାଣିଥିଲେ ଏହି ପିଲାଟିକୁ କିପରି ଆୟତ୍ତ କରି ହେବ। ପିଲାଟି ପାଖରେ ଥିବା ସବୁ ଦୋଷତ୍ରୁଟି ସତ୍ତ୍ୱେ ଋଷି ତାକୁ, ଅନ୍ୟ ପିଲାମାନଙ୍କ ଅପେକ୍ଷା ଅଧିକ ଭଲ ପାଉଥିଲେ। ଉପମନ୍ୟୁ ତାଙ୍କ ଗୁରୁଙ୍କଠାରୁ ଏତେ ସ୍ନେହ ପାଇଲେ ଯେ ସେ ମଧ୍ୟ ତାଙ୍କ ଗୁରୁଙ୍କୁ ଭଲ ପାଇବାକୁ ଲାଗିଲେ। ବର୍ତ୍ତମାନ ତାଙ୍କ ଗୁରୁଙ୍କ ପ୍ରତି ତା’ର ପ୍ରେମ ଏତେ ବଢିବାକୁ ଲାଗିଲା ଯେ, ସେ ତାଙ୍କ ପାଇଁ ସବୁକିଛି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲା। ଧୌମ୍ୟ ଋଷି ଏହା ହୃଦୟଙ୍ଗମ କଲେ। ସେ ଜାଣିଗଲେ ଯେ ବିହନ ବୁଣିବା ପାଇଁ ଭୂମି ପ୍ରସ୍ତୁତ ହୋଇଗଲା। ଉପମନ୍ୟୁ ଠାରେ ଥିବା ତ୍ରୁଟିର ଏକମାତ୍ର କାରଣ ଥିଲା ଯେ ସେ ଅତ୍ୟଧିକ ଖାଉଥିଲା ଯାହା ତାକୁ ଅଳସୁଆ ଓ ରୁଗଣ କରିଥିଲା, ଏବଂ ତା’ ମଧ୍ୟରେ ତମୋଗୁଣ ବିକଶିତ ହୋଇଥିଲା। ଧୌମ୍ୟ ଚାହୁଁଥିଲେ ଉପମନ୍ୟୁ ତା’ର ଜିହ୍ୱାକୁ ନିୟନ୍ତ୍ରଣ କରୁ ଏବଂ ଶରୀର ପାଇଁ ଯେତିକି ଆବଶ୍ୟକ ସେତିକି ଖାଉ।
ତତ୍ପରେ ସେ ପିଲାଟିକୁ ସକାଳୁ ଗାଇମାନଙ୍କୁ ଚରାଇବାକୁ ନେଇ ସନ୍ଧ୍ୟାରେ ଫେରିବାକୁ କହିଲେ। ଧୌମ୍ୟଙ୍କ ପତ୍ନୀ କିଛି ଖାଦ୍ୟ ରାନ୍ଧନ୍ତି ଓ ଉପମନ୍ୟୁକୁ ମଧ୍ୟାହ୍ନ ଭୋଜନ ନିମନ୍ତେ ଦିଅନ୍ତି। କିନ୍ତୁ ଉପମନ୍ୟୁ ଏକ ବଡ଼ଖିଆ ଥିଲା। ତାକୁ ଦିଆଯାଉଥିବା ଖାଦ୍ୟ ତା’ ପାଇଁ ଯଥେଷ୍ଟ ନଥିଲା। ତେଣୁ ସେ ଗାଈ ଦୁହେଁ ଓ ଯେତେବେଳେ ତାକୁ ଭୋକ ଲାଗେ କ୍ଷୀର ତକ ପିଇଦିଏ। କିଛିଦିନ ପରେ ଧୌମ୍ୟ ଲକ୍ଷ୍ୟ କଲେ ଯେ ଉପମନ୍ୟୁର ଶରୀରରୁ ଏ ପର୍ଯ୍ୟନ୍ତ ମଧ୍ୟ ଚର୍ବି କମି ନାହିଁ। ସେ ଆଶ୍ଚର୍ଯ୍ୟଚକିତ ହେଲେ। ଯେତେବେଳେ ସେ ଉପମନ୍ୟୁକୁ ତା’ର ଖାଦ୍ୟ ବାବଦରେ ପଚାରିଲେ ସେ ଜାଣିପାରିଲେ ଯେ ଉପମନ୍ୟୁ କ’ଣ କରୁଥିଲା କାରଣ ଉପମନ୍ୟୁ ତାଙ୍କୁ ସତ ହିଁ କହିଥିଲା। ବର୍ତ୍ତମାନ ଧୌମ୍ୟ ଉପମନ୍ୟୁଙ୍କୁ ତାଙ୍କ ଗୁରୁଙ୍କ ଅନୁମତି ବିନା ଦୁଗ୍ଧ ପାନ କରିବାକୁ ମନାକଲେ, କାରଣ ସେ ଦୁଗ୍ଧ ଉପମନ୍ୟୁଙ୍କ ପାଇଁ ଉଦ୍ଧିଷ୍ଟ ନଥିଲା। ଯେହେତୁ ପିଲାଟି ତା’ ଗୁରୁଙ୍କୁ ବହୁତ ଭଲ ପାଉଥିଲା, ସେ ସଙ୍ଗେସଙ୍ଗେ ତାଙ୍କ ଆଜ୍ଞା ମାନିବାକୁ ରାଜି ହୋଇଗଲା। କିନ୍ତୁ ଉପମନ୍ୟୁ ତା’ର କ୍ଷୁଧା ନିୟନ୍ତ୍ରଣ କରିପାରିଲା ନାହିଁ। ଅପରାହ୍ନରେ ବାଛୁରୀମାନେ ଯେତେବେଳେ ସେମାନଙ୍କ ମା’ଙ୍କ ପହ୍ନାରୁ କ୍ଷୀର ପିଉଥିଲେ, ଉପମନ୍ୟୁ ତାଙ୍କ ପାଟିରୁ ବୋହିପଡ଼ୁଥିବା କ୍ଷୀରକୁ ଆଞ୍ଜୁଳାରେ ଭରି ପିଇଦେଉଥିଲା। ସେ ଭାବୁଥିଲା ଯେ ସେ ତା’ର ଗୁରୁଙ୍କର ଅବଜ୍ଞା କରୁନାହିଁ କାରଣ ସେ ନିଜେ ଦୁଧ ଦୁହୁଁ ନଥିଲା । କିଛି ଦିନ ପରେ ଧୌମ୍ୟ ଲକ୍ଷ୍ୟକଲେ ଯେ ଉପମନ୍ୟୁର ଓଜନରେ କିଛି ପରିବର୍ତ୍ତନ ଦେଉନାହିଁ ଏବଂ ସେ ତା’ର କାରଣ ମଧ୍ୟ ଜାଣିପାରିଲେ। ସେ ଅତି ସ୍ନେହରେ ଉପମନ୍ୟୁକୁ ବୁଝାଇଲେ ଯେ ବାଛୁରୀ ପାଟିରୁ ନିଗିଡ଼ି ପଡ଼ୁଥିବା କ୍ଷୀର ପିଇବା ଅତି ଖରାପ କଥା ଏବଂ ଏହା ତା’ର ସ୍ୱାସ୍ଥ୍ୟ ଖରାପ କରିଦେବ। ପିଲାଟି ଆଉ ଏପରି ନ କରିବାକୁ ପ୍ରତିଜ୍ଞାବଦ୍ଧ କଲା।
କିନ୍ତୁ ଦିନେ ଅପରାହ୍ନରେ ଉପମନ୍ୟୁ ଏତେ ଭୋକିଲା ଥିଲା ଯେ ସେ ତାର ଭୋକ ନିୟନ୍ତ୍ରଣ କରିପାରିଲା ନାହିଁ। ତେଣୁ ସେ ଗଛଡ଼ାଳରେ ଝୁଲୁଥିବା କିଛି ଫଳରୁ କିଛି ଖାଇଲା। ଫଳଗୁଡ଼ିକ ବିଷାକ୍ତ ଥିଲା ଏବଂ ତାହା ପିଲାଟିକୁ ଅନ୍ଧ କରିଦେଲା। କିଛି ଦେଖି ନ ପାରି ଉପମନ୍ୟୁ ଗୋଟେ କୂଅରେ ପଡ଼ିଗଲା। ପିଲାଟି ଯେତେବେଳେ ଅନେକ ସମୟ ପର୍ଯ୍ୟନ୍ତ ଫେରିଲା ନାହିଁ କିନ୍ତୁ ଗାଇମାନେ ଫେରି ଆସିଲେ, ଧୌମ୍ୟ ପିଲାଟିକୁ ଖୋଜିବାକୁ ଗଲେ। ତାକୁ କୂଅ ଭିତରେ ପାଇ ଋଷି କରୁଣାରେ ବିଗଳିତ ହେଲେ। ସେ ପିଲାଟିକୁ ଏକ ମନ୍ତ୍ର ଶିକ୍ଷାଦେଲେ ଯାହାଦ୍ୱାରା ଅଶ୍ୱିନୀକୁମାର ଦ୍ୱୟ (ଦେବତାଙ୍କ ବୈଦ୍ୟ) ଆବିର୍ଭୁତ ହେଲେ ଓ ତା’ର ଦୃଷ୍ଟିଶକ୍ତି ଫେରାଇଆଣିଲେ।
ଏହାପରେ ପିଲାଟି ବୁଝିପାରିଲା ଯେ ଲୋଭ କିପରି ବିପର୍ଯ୍ୟୟ ଓ ସଂପୂର୍ଣ୍ଣ ବିନାଶକୁ ଡ଼ାକିଆଣେ। ଧୌମ୍ୟ ପିଲାଟିକୁ ବୁଝାଇଲେ ଯେ ଲୋଭ କିଭଳି ଭାବେ ତାକୁ କେବଳ ଶାରୀରିକ ଭାବେ ଅନ୍ଧ ନୁହେଁ, ବରଂ ମାନସିକ ଭାବେ ମଧ୍ୟ ଅନ୍ଧ କରିଦେଇଥିଲା। ଏହା ତାକୁ ନିର୍ବୋଧ କରିଦେଇଥିଲା, ତେଣୁ ସେ କୂଅରେ ଗଳିପଡ଼ିବା ଦ୍ଵାରା ବିପଦ ପୂର୍ଣ ଅବସ୍ଥାରେ ଥାଇ ମୃତ୍ୟୁବରଣ ମଧ୍ୟ କରିଥାନ୍ତା। ଏହି ଶିକ୍ଷା ପିଲାଟିର ହୃଦୟକୁ ସ୍ପର୍ଶ କଲା ଏବଂ ସଙ୍ଗେସଙ୍ଗେ ସେ ଅତ୍ୟଧିକ ଖାଇବା ଛାଡି ଦେଲା। ଏହିପରି ସେ ଅତିଶୀଘ୍ର ସୁସ୍ଥ ଓ ବୁଦ୍ଧିମାନ ହୋଇଗଲା।
ଏହିରୂପେ ଗୁରୁ ସୃଷ୍ଟିକର୍ତ୍ତା ବ୍ରହ୍ନା, ପାଳନକର୍ତ୍ତା ବିଷ୍ଣୁ ଏବଂ ସଂହାରକର୍ତ୍ତା ମହେଶ୍ୱରଙ୍କ କାର୍ଯ୍ୟ କରନ୍ତି। ଋଷି ଧୌମ୍ୟ ପିଲାଟିର ହୃଦୟରେ ଗୁରୁଙ୍କ ପ୍ରତି ପ୍ରେମ ଭାବର ସୃଷ୍ଟି କଲେ, ତା’ପରେ ତାଙ୍କର ସ୍ନେହଯୁକ୍ତ ଉପଦେଶଦ୍ୱାରା ତା’ର ସୁରକ୍ଷା କଲେ ଏବଂ ତାର ସଫଳତାର ପଥରେ ଆସୁଥିବା ମନ୍ଦ ଅଭ୍ୟାସର ବିନାଶ ମଧ୍ୟ କଲେ।
[Illustrations by Selvi.Danusri, Sri Sathya Sai Balvikas Student.
[ଶ୍ରୀ ସତ୍ୟସାଇ ବାଳବିକାଶ ଗୁରୁ ହସ୍ତ ପୁସ୍ତିକା ଗ୍ରୁପ୍ – ୧]