ସମ୍ପର୍କିତ ଗଳ୍ପ

Print Friendly, PDF & Email

Poison becomes Nectar

“ଈଶ୍ୱରଙ୍କ ନାମ ବିଷକୁ ମଧ୍ୟ ଅମୃତରେ ପରିଣତ କରିପାରେ”।

ମୀରା କୃଷ୍ଣ ନାମକୁ ନିରନ୍ତର ମନନ କରୁଥିଲେ। ମୀରାଙ୍କର ଏତାଦୃଶ ଅବସ୍ଥା ଓ ତାଙ୍କର ଜୀବନଚର୍ଯ୍ୟା ଅବଲୋକନ କରି, ତାଙ୍କ ପତି ତଥା ରାଜା ମହାରାଣା କୃଷ୍ଣଙ୍କ ପ୍ରତି ଥିବା ତାଙ୍କ ପାଗଳାମିରୁ ତାଙ୍କୁ ଦୂରରେ ରଖିବା ନିମନ୍ତେ ସବୁ ପ୍ରକାର ଚେଷ୍ଟା କରୁଥିଲେ।

ସେ କୌଣସି ପ୍ରକାରେ ପ୍ରଭାବିତ ନ ଥିଲେ। ସେ କୃଷ୍ଣ ନାମ ଗାଇ ଗାଇ ସର୍ବତ୍ର ବିଚରଣ କରୁଥିଲେ, ରାଜାମାନଙ୍କ ଗ୍ରହଣରେ ହେଉ ବା ରାସ୍ତା ଘାଟରେ ଯାଉଥିବା ସାଧୁ ସନ୍ଥଙ୍କ ଗ୍ରହଣରେ ହେଉ, ଅବା ସାଧାରଣ ଜନତାଙ୍କ ମଧ୍ୟରେ ହେଉ । ମହାରାଣା ଏ ସବୁ ଦେଖୁଥାନ୍ତି । ସେ ମନେ ମନେ ଚିନ୍ତା କଲେ, “ମୁଁ ରାଜା। ମୋ ପତ୍ନୀ ସାଧାରଣ ଲୋକ, ସାଧୁସନ୍ଥ, ଅନ୍ୟ ରାଜ୍ୟର ରାଜାମାନଙ୍କ ପାଖକୁ କୌଣସି ଦ୍ୱିଧା ନ ରଖି ଭିକାରୀଟିଏ ପରି ତାନପୁରା (ଏକ ପ୍ରକାର ବାଦ୍ୟ ଯନ୍ତ୍ର) ବଜାଇ କୃଷ୍ଣ ନାମ ଗାଇ ଗାଇ ଚାଲି ଯାଉଛନ୍ତି?” ସେ ଲଜ୍ୟା ବୋଧ କରୁଥାନ୍ତି।

ମୀରା ତାଙ୍କୁ ଅନେକ ସମୟରେ କୁହନ୍ତି, “ପ୍ରଭୁଙ୍କ ନାମ ଗାନ କରିବା ଅପମାନ ନୁହେଁ, ତାଙ୍କର ମହିମା ଗାନ କରିବା ଗୌରବର କଥା। ତୁମେ ଯଦି ପ୍ରଭୁ ନାମ ନ ଗାଉଛ, ତାହା ଏକ ଅପମାନ। ତୁମେ ଯଦି ଅନ୍ୟମାନଙ୍କ ପ୍ରତିକ୍ରିୟା ପ୍ରତି ଦୃଷ୍ଟି ଦେବ, ତୁମେ ନିଜର ଆତ୍ମ ସଚେତନତା ହରାଇ ବସିବ। ଆଗ୍ରହରେ ନିଜ ଧର୍ମ ମନେ କରି ପ୍ରେମ ଉତ୍ସାହ ଓ ସାହାସର ସହ ପ୍ରଭୁ ନାମ ଗାନ କରିବା ଉଚିତ”। ଏହି ପରି ମୀରା ତାଙ୍କ ମାର୍ଗରେ ଦୃଢ଼ ରହିଲେ ଓ ଏଥିରୁ ତିଳେ ମାତ୍ର ନିବୃତ୍ତ ହେଲେ ନାହିଁ। ମହାରାଣା ତାଙ୍କୁ ବିଭିନ୍ନ ପ୍ରକାରରେ ବୁଝାଇବାକୁ ଚେଷ୍ଟା କଲେ।

ସେ ତାଙ୍କୁ କହିଲେ ,”ମୀରା, ତୁମେ ଯଦି ଏହି ପରି ଭାବେ ଭଜନ ଗାଈ ଚାଲିବ, ଲୋକ ତୁମକୁ ପାଗଳ ବୋଲି ଭାବିବେ। ତୁମ ବିଷୟରେ ଲୋକେ ନିରର୍ଥକ ଗଳ୍ପ କରିବେ।” ତା ପରେ ମୀରା ଉତ୍ତର ଦେଲେ, “ମହାରାଜ, କାଉ ମାନେ କା.. କା.. କରନ୍ତି ବୋଲି, କୋଇଲି ତ ଗୀତ ବୋଲିବା ବନ୍ଦ କରେ ନାହିଁ। ଆମ ଚତୁଃପାର୍ଶ୍ଵରେ ଥିବା ଲୋକ ମାନେ କାଉ ପରି। ପ୍ରଭୁଙ୍କ ନାମ ଗାନ କରିବା କୋଇଲିର କୁହୁ ତାନ ସଦୃଶ। ତାରାମାନଙ୍କୁ ଦେଖି ଶ୍ୱାନଗଣ ଭୁକନ୍ତି ବୋଲି ସେମାନେ ପୃଥିବୀ ଉପରେ ଖସିପଡନ୍ତି ନାହିଁ। ଯାହାଙ୍କ ଓଷ୍ଠରେ ପ୍ରଭୁନାମ ଅଛି, ସେ କାହିଁକି ନିଚ୍ଚ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ଆଗରେ ସମର୍ପଣ କରିବେ?”। ମୀରାଙ୍କ ତର୍କ ଶୁଣି ମହାରଣା ଭୀଷଣ କ୍ରୋଧାନ୍ୱିତ ହେଲେ। ରାଜାଙ୍କ ପ୍ରକୃତି ରାଜସିକ, ଭକ୍ତଟିଏ କିନ୍ତୁ ସତ୍ତ୍ଵର ମୁର୍ତ୍ତି। ଏହି ଦୁଇ ପ୍ରକୃତି ମଧ୍ୟରେ କୌଣସି ତାଳ ମେଳ ବା ସମାନତା ନଥାଏ। ଅଗ୍ନି ଏବଂ ଜଳ ଏକସଙ୍ଗେ ଅବସ୍ଥାନ କରିପାରିବେ ନାହିଁ। ମୀରାଙ୍କ ପ୍ରକୃତି ଅମୃତ ତୁଲ୍ୟ ଖଜୁରୀକୋଳି ସଦୃଶ, ଅପରପକ୍ଷେ ମହାରଣାଙ୍କ ପ୍ରକୃତି ତେନ୍ତୁଳି ସଦୃଶ୍ୟ।

ଥରେ ତୁମେ ଖଜୁରୀକୋଳି ଖାଇଲେ, ତେନ୍ତୁଳି ଚାଖିବାକୁ ଇଚ୍ଛା କରିବନାହିଁ। ସେହିପରି ତେନ୍ତୁଳିର ସ୍ୱାଦ ଭଲ ଲାଗୁଥିବା ବ୍ୟକ୍ତିକୁ ଖଜୁରୀ କୋଳିର ସ୍ୱାଦ ରୁଚିବ ନାହିଁ। ଯାହାର ଅଜୀର୍ଣ୍ଣ ହୋଇଥାଏ ତାକୁ କ୍ଷୁଧା ଲାଗେନାହିଁ। ଯେଉଁ ବ୍ୟକ୍ତିର କ୍ଷୁଧା ଥାଏ, ସେ ଅଜୀର୍ଣ୍ଣ କ’ଣ ଜାଣେ ନାହିଁ। ଈଶ୍ୱରଙ୍କୁ ଭଲ ପାଉ ନଥିବା ବ୍ୟକ୍ତି ଅଜୀର୍ଣ୍ଣରେ ପୀଡିତ ଥିବା ବ୍ୟକ୍ତି ପରି। ଯିଏ ଈଶ୍ୱରଙ୍କୁ ଭଲ ପାଏ ଏବଂ ତାଙ୍କ ପାଇଁ ସବୁ ଯନ୍ତ୍ରଣା ସହ୍ୟ କରିପାରେ, ସେ ସଦା କ୍ଷୁଧିତ ବ୍ୟକ୍ତି ପରି। ସେହି ଦୁଇଜଣଙ୍କ ମଧ୍ୟରେ ଆଦୌ ସଙ୍ଗତି ନ ଥାଏ। ମୀରା ଓ ମହାରଣା ଠିକ୍ ଏହିପରି ଥିଲେ।

ମହାରଣା ହୃଦୟଙ୍ଗମ କଲେ ଯେ ମୀରାଙ୍କ ବ୍ୟବହାର ପରିବର୍ତ୍ତନ କରିବା ସମ୍ଭବପର ନୁହେଁ ଏବଂ ମୀରା ଜୀବିତ ଥିବା ପର୍ଯ୍ୟନ୍ତ ସେ ଅପମାନର ଶରବ୍ୟ ହେଉଥିବେ। ତେଣୁ ରାଣା ମୀରାଙ୍କୁ ଜୀବନରୁ ଶେଷ କରିଦେବାର ନିଷ୍ପତ୍ତି ନେଲେ । ସେ ତାଙ୍କ ଭଉଣୀଙ୍କ ସହ ମିଶି, କ୍ଷୀରରେ ବିଷ ମିଶାଇ ମୀରାଙ୍କ ନିକଟକୁ ପ୍ରେରଣ କଲେ। ମୀରା ଖାଦ୍ୟଗ୍ରହଣ ପୂର୍ବରୁ ପ୍ରଭୁଙ୍କୁ ଅର୍ପଣ କରିଥାନ୍ତି। କ୍ଷୀର ବିଷମିଶ୍ରିତ ବୋଲି ନ ଜାଣି ମୀରା ତାହା କୃଷ୍ଣଙ୍କୁ ଅର୍ପଣ କରି ନିଜେ ପିଇଦେଲେ। କୃଷ୍ଣଙ୍କୁ ବିଷ ମିଶା ଦୁଗ୍ଧ ଦେବା ଯୋଗୁଁ ତାଙ୍କ ଶୁଭ୍ର ବିଗ୍ରହ ନୀଳ ପଡିଗଲା ଓ ଦୁଗ୍ଧ ବିଷମୁକ୍ତ ହୋଇ ମୀରାଙ୍କ ଭାଗରେ ପଡିଲା।

ସେହି ମୁହୂର୍ତ୍ତରେ ମହାରଣା ଭିତରକୁ ଆସି ଚିତ୍କାର କଲେ, “ତୁମେ ଏଠାରେ ଆଉ ରହିପାରିବ ନାହିଁ। ମୁଁ ରାଜା ଏବଂ ତୁମେ ମୋତେ ଅପମାନିତ କରୁଛ। ଏହି ପ୍ରାସାଦ ମୁଁ ନିର୍ମାଣ କରିଛି। ମୋ ଦ୍ୱାରା ନିର୍ମିତ ପ୍ରାସାଦରେ ତୁମେ ରହିପାରିବ ନାହିଁ “। କିନ୍ତୁ ମୀରା ଦୁଃଖିତ ଥିଲେ, କୃଷ୍ଣଙ୍କ ପରିବର୍ତ୍ତିତ ବିଗ୍ରହ ବିଷୟରେ ଚିନ୍ତା କରୁଥିଲେ। ସେ ସାହସ ସଞ୍ଚୟ କଲେ ଓ ମହାରଣାଙ୍କୁ କହିଲେ, “ଏହା ସତ୍ୟ ଯେ ଆପଣ ଏହି ପ୍ରାସାଦ ନିର୍ମାଣ କରିଛନ୍ତି ଏବଂ ଏଠାରେ ବିଗ୍ରହ ସ୍ଥାପନା କରିଛନ୍ତି।” କିନ୍ତ ମୋ ହୃଦୟରେ ସ୍ଥାପିତ କୃଷ୍ଣ ମନ୍ଦିର ଆପଣ ନିର୍ମାଣ କରିନାହାନ୍ତି। ଏହା ମୋ କୃଷ୍ଣଙ୍କ ଦ୍ୱାରା ନିର୍ମିତ। ସେ ମୋ ଅନ୍ତରରେ ଅବସ୍ଥାପିତ। ମୋ ହୃଦୟନିବାସୀ କୃଷ୍ଣଙ୍କୁ ମୋ ସହ ଅବସ୍ଥାନ ନ କରିବାକୁ କହିବାର ଅଧିକାର କାହାର ନାହିଁ। ସେ କହିଲେ, “ରେ ମନ! ତୋର ଏତେ ଆସକ୍ତି କ’ଣ ପାଇଁ? ଏହି ଆସକ୍ତି ଯୋଗୁଁ ହିଁ ତୁ ଦୁଃଖ ଯନ୍ତ୍ରଣା ଭୋଗୁଛୁ।” ତା ପରେ ସେ ମନକୁ ଗଙ୍ଗାଯମୁନାର ସଙ୍ଗମ ସ୍ଥଳୀ ପ୍ରୟାଗକୁ ଯିବା ନିମନ୍ତେ ଉଦ୍ଧିଷ୍ଟ ଗୀତଟିଏ ଗାଇବାକୁ ଲାଗିଲେ। (ଚାଲରେ ମନ ଯିବା ଗଙ୍ଗା ଯମୁନା କୂଳକୁ)। ସେ ଭୌଗଳିକ ଅବସ୍ଥିତି କଥା ଚିନ୍ତା କରୁ ନ ଥିଲେ। ସେ ତାଙ୍କର ଭୃଲତା ମଧ୍ୟରେ ଥିବା ସ୍ଥାନକୁ ଚିନ୍ତା କରୁଥିଲେ ଯେଉଁଠାରେ ଦୁଇ ନଦୀ ମିଶି ଯାଇଛନ୍ତି। ‘ଇଡା’ ସ୍ନାୟୁ ହେଉଛି ‘ଗଙ୍ଗା’ ଏବଂ ‘ପିଙ୍ଗଳା’ ସ୍ନାୟୁ ହେଉଛି ଯମୁନା। ଏ ଦୁହିଁଙ୍କ ମଧ୍ୟରେ ଥିବା ସ୍ନାୟୁ ହେଉଛି ‘ସୁଷୁମ୍ନା’ ଯାହା ହେଲା ପ୍ରୟାଗ। ତେଣୁ ଦୁଇ ଭ୍ରୁଲତା ମଧ୍ୟରେ ଥିବା ସ୍ଥାନରେ ମନକୁ ସ୍ଥିର କର। ସେ ତାଙ୍କ ମନକୁ ସେହି ସ୍ଥାନରେ ସ୍ଥିର କଲେ। ସେଠରେ ତାଙ୍କ ମନ କେନ୍ଦ୍ରିତ ଥିବା ଅବସ୍ଥାରେ ସେ କୃଷ୍ଣଙ୍କଠାରେ ଲୀନ ହୋଇଗଲେ। ଏହିପରି ମୀରା ଏକ ପବିତ୍ର ପଦକୁ ପ୍ରାପ୍ତ ହେଲେ କେବଳ ତାଙ୍କ ଦୃଢ ବିଶ୍ୱାସ ଓ ନିରନ୍ତର ନାମସ୍ମରଣ ଦ୍ୱାରା।

[Illustrations by B.G.Sai Pratheem, Sri Sathya Sai Balvikas Student.]
[Source: Chant the Name of the Lord Discourse 17, My Dear Students – Volume 4; “Consume only Satvic Food”, Discourse 02, My Dear Students, Volume 02]

Leave a Reply

Your email address will not be published. Required fields are marked *

error: