ଓଁ – ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ସମ୍ଭାଷଣ
- ଓଁ ହେଉଛି ଅପରିବର୍ତ୍ତନୀୟ ସନାତନ ସାର୍ବଜନୀନ ପରମେଶ୍ବରଙ୍କ ପ୍ରତୀକ। ଓଁ ମହାକାଶର ତାରକା ମାନଙ୍କର ଗତିଶୀଳତାର ଧ୍ୱନୀ। ଯେତେବେଳେ ରଚନାତ୍ମକ ସଂକଳ୍ପର ଉଦୟ ଗୁଣରହିତ ନିରାକାର ତତ୍ତ୍ବକୁ କର୍ମ ନିମନ୍ତେ ପ୍ରେରିତ କଲା, ସେତେବେଳେ ଯେଉଁ ଶବ୍ଦ ସୃଷ୍ଟି ହେଲା, ତାହା ହେଉଛି ଓଁକାର। (SSS6 CH-42)
- ପ୍ରତ୍ୟେକଟି କ୍ଷୁଦ୍ର ମୁହୂର୍ତ୍ତ କିମ୍ବା ଘଟଣା ଶବ୍ଦ ସୃଷ୍ଟି କରିଥାଏ, ହୁଏ ତ ତୁମେ ଏହାକୁ ଶୁଣି ନପାର; କାରଣ ତୁମର ଶ୍ରବଣ ଶକ୍ତି ସୀମିତ। ଆଖିପତା ଆଖିକୁ ଘୋଡ଼ାଇବା ସମୟରେ ଶବ୍ଦ ସୃଷ୍ଟି ହୁଏ, ଫୁଲର ପାଖୁଡ଼ାରେ ପଡ଼ୁଥିବା ଶିଶିର ବିନ୍ଦୁ ମଧ୍ୟ ଶବ୍ଦ ସୃଷ୍ଟି କରେ। ଶାନ୍ତି ଭଙ୍ଗକରୁଥିବା ଯେ କୌଣସି ଅଶାନ୍ତ ପ୍ରକ୍ରିୟା ଶବ୍ଦ ସୃଷ୍ଟି କରିବାକୁ ବାଧ୍ୟ। ଆଦି ଚଳନ ଯୋଗୁ ସୃଷ୍ଟ ଶବ୍ଦ ହିଁ ପ୍ରଣବ ଶବ୍ଦ ବା ଓଁକାର, ଯାହା ସ୍ବୟଂ ପ୍ରକାଶିତ ମାୟ ଦ୍ୱାରା ବ୍ରହ୍ମଙ୍କୁ ଅବୃତ୍ତ କରିଦେଇଥିଲା। ଗାୟତ୍ରୀ ମନ୍ତ୍ର ଏହି ଓଁ ର ହିଁ ବିସ୍ତାର, ତେଣୁ ଏହା ଏତେ ପୂଜ୍ୟ ଓ ମୁଲ୍ୟବାନ ଯେ ଏହାର ଚିନ୍ତନ ଦ୍ୱାରା ହିଁ ଆଧ୍ୟାତ୍ମିକ ଜୀବନର ଅୟମାରମ୍ଭ କରଯାଇଥାଏ। (SSS4 CH- 18)
- ତୁମର ଯଦି ସେପରି କର୍ଣ୍ଣ ଅଛି, ତେବେ ତୁମେ ପ୍ରତି ଶବ୍ଦ ମଧ୍ୟରେ ବିରାଜିତ ଭଗବାନଙ୍କ ଉପସ୍ଥିତିକୁ ଘୋଷଣା କରୁଥିବା ଓଁକାରକୁ ଶୁଣିପାରିବ। ପଞ୍ଚ ମହାଭୂତ ମଧ୍ୟ ଏହି ଶବ୍ଦ ଓଁ ସୃଷ୍ଟି କରିଥାନ୍ତି। ମନ୍ଦିର ଘଣ୍ଟି ସର୍ବବ୍ୟାପୀ ଭଗବାନଙ୍କର ପ୍ରତୀକ ଓଁ ର ବାର୍ତ୍ତା ପ୍ରଦାନ କରିବା ପାଇଁ ହିଁ ଉଦ୍ଧିଷ୍ଟ। ମନ୍ଦିରର ଘଣ୍ଟି ଯେତେବେଳେ ‘ଓଁ’ ଶବ୍ଦ ସୃଷ୍ଟିକରେ, ସେତେବେଳେ ତୁମ ଅନ୍ତରର ଦୈବତ୍ୟ ଜାଗିଉଠେ ଓ ତୁମେ ତାଙ୍କର ଉପସ୍ଥିତି ସମ୍ପର୍କରେ ସଚେତନ ହୋଇଉଠ। ଏହା ହିଁ ମନ୍ଦିର ମଧ୍ୟରେ ବାଜୁଥିବା ଘଣ୍ଟିର ଅନ୍ତରାର୍ଥ। (SSS1 CH-9)
- ଓଁ କାର ଏବଂ ଅନ୍ୟାନ୍ୟ ନାଦ ଓ ଶବ୍ଦ ମଧ୍ୟରେ ପାର୍ଥକ୍ୟ କ’ଣ? ଏହାର ଉଦ୍ଦେଶ୍ୟ ଓ ଉଚ୍ଚାରଣ ଗତ ବିଧି ଦୃଷ୍ଟିରୁ ଓଁକାରର ଏକ ଅଦ୍ଵିତୀୟ ସ୍ଵାତନ୍ତ୍ରତା ରହିଛି। ଯେତେବେଳେ ଅନ୍ୟ ଶବ୍ଦ ମାନେ ଉଚ୍ଚରିତ ହୁଅନ୍ତି, ସେତେବେଳେ ଓଠ, ଜିଭ ଗାଲ ଓ ମାଢି ସକ୍ରିୟ ଥାଆନ୍ତି। କିନ୍ତୁ ଓଁ କାର ଉଚ୍ଚାରଣ ସମୟରେ ଏସବୁ ଅଙ୍ଗପ୍ରତ୍ୟଙ୍ଗ କ୍ରିୟାଶୀଳ ନ ଥାଆନ୍ତି। ଏହା ହିଁ ଓଁ କାରର ବୈଶିଷ୍ଠ୍ୟ। ତେଣୁ ଏକାକୀ ଓଁ ହିଁ ‘ଅକ୍ଷରମ୍’ (ଯାହାର କ୍ଷୟ ନାହିଁ) ବୋଲି ବିବେଚନା କରାଯାଏ ଅନ୍ୟ ଶବ୍ଦ ସବୁ କେବଳ ବିଭିନ୍ନ ଭାଷାର ପରିପ୍ରକାଶ ମାତ୍ର।
- ଶ୍ରେଷ୍ଠ ଉପଦେଶ (ଆଧ୍ୟାତ୍ମିକ ନିର୍ଦ୍ଦେଶ) ହେଉଛି ପ୍ରଣବ ପବିତ୍ର ଶବ୍ଦ ଓଁ ଯାହା, ତତ୍ବବାଦ ଦର୍ଶନ ଏବଂ ରହସ୍ୟବାଦର ଅନେକ ତତ୍ତ୍ବର ସାରାଂଶ। ଶିଶୁମାନେ ଚାଲି ଶିଖିଲା ବେଳେ ସେମାନଙ୍କୁ ଏକ ତିନିଚକିଆ ଗାଡ଼ି ଦିଆଯାଏ, ଯାହାର ଉପରଦଣ୍ଡକୁ ଧରି ସେମାନେ ତାକୁ ଆଗକୁ ଠେଲନ୍ତି। ଆଧ୍ୟାତ୍ମିକ ଶିଶୁ ପାଇଁ ଓଁ ଏହିପରି ଏକ ଗାଡ଼ି। ଏହାର ତିନି ଚକ ହେଉଛି ‘ଅ’, ‘ଉ’ ଏବଂ ‘ମ’ ମନ୍ତ୍ରର ତିନୋଟି ଅବୟବ। ପ୍ରାଣଶକ୍ତିରେ ନିହିତ ମୂଳ ଶବ୍ଦ ହେଉଛି ଓଁ। (SSS5 CH 46)
- ଶ୍ରୀକୃଷ୍ଣଙ୍କ ବଂଶୀର ପରିପ୍ରକାଶ, ଚାରିବେଦର ବ୍ୟାଖ୍ୟା ଏବଂ ଓଁ ସେମାନଙ୍କ ଦିବ୍ୟମହକ।
- ଅ, ଉ, ମ ଏବଂ ବିନ୍ଦୁ (ହୃଦୟର ଗଭୀରତାରେ ନିନାଦିତ ଶବ୍ଦର ସୂଚକ ଚାରି ବେଦର ପ୍ରତୀକ ଅଟନ୍ତି।
- ଓଁ ମଧ୍ୟ ରାମ ତତ୍ତ୍ଵର ପ୍ରତୀକ। ଚାରିଭାଇ-ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଯଥାକ୍ରମେ ଚାରିବେଦ – ଋଗ୍, ଯଜୁଃ, ଶାମ ଏବଂ ଅଥର୍ବର ପ୍ରତିନିଧିତ୍ୱ କରନ୍ତି। (SSS14 CH-9)
- ପ୍ରଣବ ଜପ (ଓଁ ର ଉଚ୍ଚାରଣ ଏବଂ ସେହି ରହସ୍ୟମୟ ଶବ୍ଦର ଚିନ୍ତନ) ଗର୍ଜନରତ ତରଙ୍ଗ ଗୁଡିକୁ ଶାନ୍ତ କରିବାରେ ସାହାଯ୍ୟ କରେ। ବେଦରେ ସନ୍ନିବେଶିତ ଈଶ୍ବର ସମ୍ବନ୍ଧୀୟ ସମସ୍ତ ଶିକ୍ଷା ଏବଂ ଈଶ୍ବର ଉପସନାର ସମସ୍ତ ପଦ୍ଧତିର ସାରାଂଶ ହେଉଛି ଓଁ । ଓଁ ଇତ୍ୟେକାକ୍ଷରମ୍ ବ୍ରହ୍ମ – ଏକ ଅକ୍ଷର ବିଶିଷ୍ଟ ଓଁ ହିଁ ବ୍ରହ୍ମ।
- ରାମକୃଷ୍ଣ ପରମହଂସ ଜଣେ ନିଶାଖୋର ବ୍ୟକ୍ତିକୁ କହିଥିଲେ ଯେ ସେ ନିର୍ଦ୍ଧିଷ୍ଟ ମାତ୍ରା ଠାରୁ ଅଧିକ ଅଫିମ ସେବନ କରିବ ନାହିଁ। ସେ ତାକୁ ଗୋଟିଏ ଚକ୍ ଖଡି ଦେଲେ, ଅବିକଳ ସେଇ ଚକ୍ ଖଡି ଓଜନର ଅଫିମ ସେବନ କରିବାକୁ କହିଲେ, ଅଧିକ ନୁହେଁ ବା କମ୍ ନୁହେଁ। ବଦ ଅଭ୍ୟାସକୁ ଦୂର କରିବାରେ ତାକୁ ସାହାଯ୍ୟ କରିବା ପାଇଁ ସେ ଗୋଟିଏ ସର୍ତ୍ତ ରଖିଲେ, ଯାହାକୁ ନିଶାଖୋର ବ୍ୟକ୍ତିଟି ସେତେବେଳେ ବୁଝିପାରି ନଥିଲା। ପ୍ରତ୍ୟେକ ଥର ଓଜନ କରିବା ପୂର୍ବରୁ ତାକୁ, ଏକ ସ୍ଳେଟ୍ ରେ ଚକ୍ ଦ୍ୱାରା ଓଁ ଲେଖିବାକୁ ହେବ। ଲୋକଟି ଏହା ମାନିଲା ଏବଂ ପ୍ରତ୍ୟେକ ଥର ଓଁ ଲେଖାହେବା ଯୋଗୁଁ ଚକ୍ ର ଓଜନ କମି କମି ଗଲା। ତଦନୁସାରେ ଅଫିମ ସେବନର ମାତ୍ରା ମଧ୍ୟ କମି କମି ଗଲା ଓ ଶେଷରେ ଶୂନ୍ୟ ହେଇଗଲା। ଅଫିମ ଦ୍ୱାରା ପ୍ରାପ୍ତ ଶାନ୍ତିର ମୋହକୁ ଭଗବତ୍ ଆସକ୍ତି ଦ୍ୱାରା ପ୍ରାପ୍ତ ଚିରନ୍ତନ ଆନନ୍ଦରେ ପରିଣତ କରିବାରେ ଓଁକାର ହିଁ ତାକୁ ସାହାଯ୍ୟ କଲା। (SSS 7 Chapter 43)
[Source : SSS -7, Chap. 43]
- ଓଁ ତିନୋଟି ଶବ୍ଦର ସମାହାର।
- ‘ଅ’ ନାଭିରୁ ସୃଷ୍ଟି ହୋଇ, ‘ଉ’ କଣ୍ଠ ଓ ଜିହ୍ଵା ଦେଇ ଗତି କରି ‘ମ’ ବନ୍ଦ ଓଠରେ ଶେଷ ହୁଏ।
- ଯଥା ସମ୍ଭବ ଧିରେ ଧିରେ ଆରମ୍ଭ ହୋଇ ଏହାର ଉଚ୍ଚାରଣ ବଢି ବଢି ଯାଏ ଏବଂ ‘ମ’ ର ଉଚ୍ଚାରଣ ପରେ ଏହା କମି କମି ଆସେ, ଯେପରିକି ହୃଦୟ କନ୍ଦରରେ ନିସ୍ତବ୍ଧତାର କମ୍ପନ ଅନୁଭୂତ ହୁଏ ।
- ନିଜ ଶ୍ବାସକୁ ଲମ୍ବା ସମୟ ପର୍ଯ୍ୟନ୍ତ ଧରି ନପାରିବା ଯୋଗୁଁ, ଏହାର ଉଚ୍ଚାରଣ ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବା ଉଚିତ ନୁହେଁ।
- ଊଦ୍ଧଗାମୀ ପ୍ରଶ୍ଵାସ ନେବା, ନିମ୍ନଗାମୀ ନିଶ୍ବାସ ତ୍ୟାଗ ପୂର୍ବକ ଓଁ ଉଚ୍ଚାରଣ କରିବା ଏବଂ ତତ୍ ପରବର୍ତ୍ତୀ ନୀରବତା ଅବଲମ୍ବନ କରିବା ପର୍ଯ୍ୟନ୍ତ ଦୃଢ ରୁହ।
- ଏହା ଜାଗ୍ରତ ସ୍ବପ୍ନ ଓ ସୁଷୁପ୍ତି ଏବଂ ଚତୁର୍ଥ ଏସବୁର ଅତିକ୍ରାନ୍ତ ଅବସ୍ଥାକୁ ସୂଚିତ କରେ। ପୁନଶ୍ଚ ଏହା ମଣିଷର ବ୍ୟକ୍ତିତ୍ଵ ରୂପକ ପୁଷ୍ପ ଫଳରେ ପରିଣତ ହେବ। ନିଜର ଅର୍ନ୍ତନିହିତ ସାରତତ୍ତ୍ଵ ରୂପକ ମଧୁର ରସରେ ଏହା ପରିପୂର୍ଣ୍ଣ ହେବା ଏବଂ ତତ୍ପରେ ବୃକ୍ଷରୁ ଅନ୍ତିମଥର ପାଇଁ ଝଡି ପଡିବାର ଅବସ୍ଥାକୁ ସୂଚାଏ। (SSS 10, Chapter 13)
- ପ୍ରଶାନ୍ତି ନୀଳୟମର ନିୟମ ଅନୁଯାୟୀ ପ୍ରତ୍ୟୁଷ କାଳରେ ଓଁକାର ଉଚ୍ଚାରଣ ୨୧ ଥର ପାଇଁ କରାଯିବା ଉଚିତ।
- ଏହି ସଂଖ୍ୟା ଏମିତି ସେମିତି ସ୍ଥିର ହୋଇ ନାହିଁ ଏହାର ନିଜସ୍ବ ତାତ୍ପର୍ଯ୍ୟ ରହିଛି।
- ଆମର ପାଞ୍ଚଟି କର୍ମେନ୍ଦ୍ରିୟ ଓ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି। ପଞ୍ଚ ପ୍ରାଣ ଆମକୁ ଜୀବନ୍ତ ରଖନ୍ତି। ଦିବ୍ୟ ସ୍ଫୁଲିଙ୍ଗ ତଥା ବାସ୍ତବ ସତ୍ୟକୁ ଧରି ରଖିଥିବା ପଞ୍ଚକୋଷ ମଧ୍ୟ ଆମ ମଧ୍ୟରେ ନିହିତ। ଏସବୁ ମିଶି କୋଡ଼ିଏ।
- ତେଣୁ ୨୧ ଥର ଓଁକାର ଉଚ୍ଚାରଣ ଏହି ୨୦ଟି ଉପାଦାନକୁ ଶୁଦ୍ଧ ଓ ନିର୍ମଳ କରେ ଏବଂ ମଣିଷକୁ ୨୧ ତମ ଉପାଦାନରେ ପରିଣତ କରି ବାସ୍ତବ ସତ୍ତା ସହ ତାର ଚୂଡ଼ାନ୍ତ ବିଲୟ ପାଇଁ ତାକୁ ପ୍ରସ୍ତୁତ କରେ।
- ଜୀବ ତତ୍ତ୍ଵ ପରମ ତତ୍ତ୍ଵ ସହିତ ମିଶିଯାଏ।
- ଜୀବ ତତ୍ୱକୁ ଏକୋଇଶିଟି ମସ୍ତକ ବିଶିଷ୍ଟ ଏକ ଅଶ୍ଵର ଆରୋହୀ ସହ ତୁଳନା କରାଯାଇପାରେ।
- ଶେଷରେ ଓଁକାର ଉଚ୍ଚାରଣ ତିନି ଥର ଶାନ୍ତି ଉଚ୍ଚାରଣ ପୂର୍ବକ ସମାପ୍ତ କରାଯାଏ। ଏହା ହିଁ ବିଶୁଦ୍ଧି କରଣ ଓ ପବିତ୍ରୀ କରଣ ପ୍ରକ୍ରିୟାକୁ ପୂର୍ଣ୍ଣ କରେ।
- ପ୍ରଥମ ଶାନ୍ତି ଆଧି ଭୌତିକ (ଶରୀର) ଶାନ୍ତି ପାଇଁ ଉଦ୍ଦିଷ୍ଟ।
- ଦ୍ଵିତୀୟ ଶାନ୍ତି ଆଧିଦୈବିକ (ମନ) ର ପବିତ୍ରିକରଣ ପାଇଁ ଉଦ୍ଦିଷ୍ଟ।
- ତୃତୀୟ ଶାନ୍ତି ଆଧ୍ୟାତ୍ମିକ (ଆତ୍ମ) ଶାନ୍ତି ପାଇଁ ଉଦ୍ଦିଷ୍ଟ।
- ପ୍ରଣବ ଜପ ତୁମକୁ ଅତ୍ୟନ୍ତ ଶୁଦ୍ଧ କରିବ ମନର ସବୁ ଅଶାନ୍ତି ଦୂର କରିବ ଏବଂ ଭାଗବତ କୃପା ବର୍ଷା କରିବାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବ।
ସହାୟକ ଅଡିଓ ଭିଜୁଆଲ
ଡ଼ଃ ଶ୍ରୀକାନ୍ତ ସୋଲା, ଶ୍ରୀ ସତ୍ୟସାଇ ଉଚ୍ଚ ଆୟ ବିଜ୍ଞାନ ପ୍ରତିଷ୍ଠାନ ବାଙ୍ଗାଲୋରର ଜଣେ ହୃଦ୍ ରୋଗ ବିଶେଷଜ୍ଞ। ସେ ୨୦୧୨ ଅକ୍ଟୋବର ୧୨-୧୪ ରେ ଯୁକ୍ତରାଷ୍ଟ୍ର ଆମେରିକା ଶ୍ରୀ ସତ୍ୟସାଇ ସଙ୍ଗଠନ (Region 1) ଦ୍ଵାରା ଆୟୋଜିତ Silent Retreat ରେ ଓଁ ଉଚ୍ଚାରଣର ପ୍ରଭାବ ଓ ପ୍ରକୃତ ବିଧି ସମ୍ଵନ୍ଧରେ ସାଇ ଉପଦେଶରୁ ସଂଗୃହୀତ ଜ୍ଞାନ ମଣି ମୁକ୍ତାମାଳା ମାଧ୍ୟମ ରେ ଆଲୋକପାତ କରିଥିଲେ। ।ଡ଼ଃ ସୋଲା ଙ୍କ ଭିଡିଓ ଦେଖିବା ପାଇଁ ନିମ୍ନ ଲିଖିତ ଲିଙ୍କ କୁ କ୍ଲିକ୍ କରନ୍ତୁ:
http://saicast.org/2012/20121012sola.html