The Truthful Thief – Role Play
ଗପଟିଏ କୁହନ୍ତୁ। ଅନ୍ତତଃ ଗୋଟିଏ ଖରାପ ଅଭ୍ୟାସ ତ୍ୟାଗ କର। (ଚିନ୍ନା କଥା -ନିମ୍ନ ରେ ଗଳ୍ପଟି ଦିଆ ଯାଇଛି) ପିଲାମାନଙ୍କୁ ଭୂମିକା ଅଭିନୟ କରିବାକୁ କୁହନ୍ତୁ।
ଗଳ୍ପ– ଅନ୍ତତଃ ଗୋଟିଏ ମନ୍ଦ ଅଭ୍ୟାସ ତ୍ୟାଗ କର।
ଆଧ୍ୟାତ୍ମିକ ଜୀବନର ଦୀକ୍ଷା ନିମନ୍ତେ ଥରେ ଜଣେ ଦୁଷ୍ଟ ବ୍ୟକ୍ତି ଗୁରୁଙ୍କ ନିକଟକୁ ଗଲା। ଗୁରୁ ତାକୁ ଅନ୍ତତଃ ତାର ଗୋଟିଏ ମନ୍ଦ ଅଭ୍ୟାସ ପରିତ୍ୟାଗ କରିବାକୁ କହିଲେ। ସେ “ମିଛ କହିବା” ଛାଡିବାକୁ ସ୍ଥିରକଲା ଆଉ ମିଛ କହିବା ଛାଡିଦେଲା। ସେହି ରାତିରେ ଯେତେବେଳେ ସେ ରାଜପ୍ରସାଦକୁ ଡକାୟତି କରିବାକୁ ଗଲା, ଛାତ ଉପରେ ଆଉ ଜଣେ ବ୍ୟକ୍ତିକୁ ଦେଖିଲା। ସେ ମଧ୍ୟ ଚୋର ଭାବି ସେ ତାକୁ ଭେଟିଲା। ଅନ୍ୟ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ଚୋରର ଛଦ୍ମ ବେଶରେ ନିଜେ ରାଜା ହିଁ ଥିଲେ। ଚୋରର ଅଭିନୟ କରୁଥିବା ରାଜା ଚୋରକୁ କହିଲେ ଯେ, ସେ ଜାଣିଛନ୍ତି ଭଣ୍ଡାର ଘରର ଚାବି କେଉଁଠି ଅଛି। ହୀରାଗୁଡିକ ଭାଗବଣ୍ଟା ହେଉଥିବା ବେଳେ ରାଜାଙ୍କ ସବୁ ସମ୍ପତ୍ତି ଖାଲି ହୋଇଯିବ ଭାବି ସରଳ ଚୋରଟିର ଦୟା ଆସିଲା। ସେ ତାର ସାଥୀକୁ ସିନ୍ଧୁକ ପୁରା ଖାଲି ନକରି ସେଥିରେ ଗୋଟିଏ ହୀରା ଛାଡିଦେବାକୁ କହିଲା।
ତାହା ହିଁ ହେଲା। ପରଦିନ ସକାଳେ ଜଣା ପଡିଲା ଯେ ଭଣ୍ଡାର ଘର ଲୁଟ ହୋଇ ଯାଇଛି। ରାଜା (ଗତ ରାତିରେ ଯିଏ ଚୋରର ଛଦ୍ମ ବେଶରେ ଅସଲ ଚୋର ସହ ଥିଲେ) ମନ୍ତ୍ରୀଙ୍କୁ ଭଣ୍ଡାର ଘରକୁ ପଠାଇଲେ କ୍ଷତିର ପରିମାଣ ଜାଣିବା ନିମନ୍ତେ । ମନ୍ତ୍ରୀ ଚୋର ଛାଡ଼ିଯାଇଥିବା ହୀରାକୁ ପାଇଲେ। ସେ ଚୁପ୍ ଚାପ୍ ତାକୁ ନିଜ ପକେଟରେ ରଖିଦେଲେ ଏବଂ ଦରବାରରେ ରାଜଙ୍କୁ କହିଲେ ଯେ ସବୁ ହୀରା ଚୋରୀ ହେଇ ଯାଇଛି। ଗତ ରାତିରେ ରାଜା, ସେ ସଚ୍ଚୋଟ ଚୋରର ଠିକଣା ହାସଲ କରିଥିଲେ ଯେହେତୁ ସେମାନେ ନିଜ ନିଜର ଅଲଗା ବ୍ୟାଗ ନେଇ ସେ ସ୍ଥାନରୁ ଫେରୁଥିଲେ।
ତେଣୁ ସେ ତାକୁ ଡକାଇ ପଠାଇଲେ ଏବଂ ଦରବାରରେ ରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ସେ ସ୍ୱୀକାର କଲା ଯେ, ଗୋଟିଏ ହୀରାକୁ ଛାଡି ଅନ୍ୟ ସବୁ ହୀରା ସେ ଓ ତାର ଅଜଣା ସାଥୀ ଦ୍ଵାରା ଚୋରୀ ହୋଇଥିଲା। ହଜିଯାଇଥିବା ହୀରା ଖଣ୍ଡଟି ମନ୍ତ୍ରୀଙ୍କ ପକେଟରୁ ମିଳିଲା ଏବଂ ରାଜା ତାଙ୍କୁ ମିଛ କଥା କହିଥିବା ଯୋଗୁଁ ବହିଷ୍କାର କଲେ। ତା ପରିବର୍ତ୍ତେ ସଚ୍ଚୋଟ ଚୋର ମନ୍ତ୍ରୀ ଭାବେ ନିଯୁକ୍ତ ହେଲା। ସେ ତା’ର ଅନ୍ୟ ସବୁ ମନ୍ଦ ଅଭ୍ୟାସକୁ ମଧ୍ୟ ଛାଡି ଦେଲା ଓ ଜଣେ ଗୁଣବନ୍ତ ପ୍ରଶାସକ ରୂପେ ଖ୍ୟାତ ହୋଇ ଗୁରୁଙ୍କୁ ପ୍ରୀତ କଲା।
ବିବରଣୀ
ଚୋରଟି ଯେତେବେଳେ ମିଥ୍ୟା କହିବା ଛାଡି ଦେଲା ସେତେବେଳେ ସେ ସତ୍ୟ ଆଡକୁ ଅଗ୍ରସର ହେଲା। ପରିଣାମ ସ୍ବରୂପ ଚୋରର ଜୀବନ ଅନ୍ଧକାରରୁ ଆଲୋକ ଆଡକୁ ଗତି କଲା ଏବଂ ସେ ସମୃଦ୍ଧଶାଳୀ ହେଲା। ଏହା ଫଳରେ ସେ ତାର ସବୁ ମନ୍ଦ ଅଭ୍ୟାସ ପରିତ୍ୟାଗ କଲା ଓ ଜଣେ ଉତ୍ତମ ମନୁଷ୍ୟରେ ରୂପାନ୍ତରିତ ହେଲା। ଅନେକ ବର୍ଷ ଯାଏ ସେ ତାର ଭଲ ଗୁଣ ପାଇଁ ସମସ୍ତଙ୍କ ପାଖରେ ମନେ ରହିଲା। ଆମେ ଉତ୍ତମ ମାର୍ଗରେ ଚାଲିଲେ ଅମର ହେଇଯାଉ କାରଣ ଲୋକମାନେ ଆମକୁ ଅନନ୍ତ କାଳ ଯାଏ ମନେ ରଖନ୍ତି।
ଏହି କାହାଣୀଟିକୁ ଅନ୍ୟ ମୂଲ୍ୟବୋଧକୁ ବୁଝାଇବାରେ ମଧ୍ୟ ବ୍ୟବହାର କରାଯାଇପାରେ। ଯେତେବେଳେ ଆମେ ଗୋଟିଏ ଉତ୍ତମ ମୂଲ୍ୟବୋଧକୁ ଅଭ୍ୟାସ କରିବା ଆରମ୍ଭ କରୁ, ଅନ୍ୟ ସବୁ ମୂଲ୍ୟବୋଧ ତାର ଅନୁସରଣ କରନ୍ତି ଏବଂ ଆମେ ଅମର ହୋଇଯାଉ। ଉଦାହରଣ:- ମହାତ୍ମା ଗାନ୍ଧୀ, ଆଲବର୍ଟ ଆଇନଷ୍ଟାଇନ, ଅବଦୁଲ କାଲାମ, ଇତ୍ୟାଦି।
ଆଲୋଚନା- ପିଲା ମାନଙ୍କୁ ଏକ ମାସ ନିମନ୍ତେ ମିଛ କହିବା ବନ୍ଦ କରିବାକୁ କୁହନ୍ତୁ ଏବଂ ପ୍ରତ୍ୟେକ ଶ୍ରେଣୀରେ ଏହା ପାଳନ କରିବା କେତେ ସହଜ/କଷ୍ଟକର ସେ ବିଷୟରେ ଆଲୋଚନା କରନ୍ତୁ ଏବଂ ସତ କହିବାରେ ଲାଭ କଣ ସେ ବିଷୟରେ କୁହନ୍ତୁ।