ବକ୍ରତୁଣ୍ଡ ମହାକାୟ ଶ୍ଳୋକ – ଅତିରିକ୍ତ ପଠନ

Print Friendly, PDF & Email
ଗଳ୍ପ:

ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ପ୍ରଥମ ଯୁଗ, ସତ୍ୟ ଯୁଗରେ ସିନ୍ଧୁରାସୁର ନାମକ ଜଣେ ଅତି ଶକ୍ତିଶାଳୀ ରାକ୍ଷସ ବାସ କରୁଥିଲା। ସେ ନିରନ୍ତର ତପସ୍ୟାରେ ରତ ଥିଲା, କିନ୍ତୁ ତପଶ୍ଚରଣରୁ ପାଉଥିବା ଶକ୍ତିକୁ ସେ ମନ୍ଦ ଏବଂ ଧ୍ବଂସାତ୍ମକ କାର୍ଯ୍ୟରେ ବିନିଯୋଗ କରୁଥିଲା। ସମୟକ୍ରମେ ସେ ଏତେ ଶକ୍ତିଶାଳୀ ହୋଇଉଠିଲା ଯେ ଦେବତାମାନଙ୍କ ଦ୍ୱାରା ପରାଜିତ ହେବା ମଧ୍ୟ ଅସମ୍ଭବ ବୋଧ ହେଲା। ତା’ର ଶକ୍ତି ଏ ବିଶ୍ବବ୍ରହ୍ମାଣ୍ଡରେ ଅତୁଳନୀୟ ବୋଲି ଭାବି ସିନ୍ଧୁରାସୁର ସାଧୁ ସନ୍ଥ ମାନଙ୍କୁ ଅତ୍ୟାଚାର କରୁଥିଲା ଓ ସେମାନଙ୍କୁ ବନ୍ଦୀ କରି ନିର୍ଯାତନା ଦେଉଥିଲା।

ଏସବୁ ଘଟିବାରୁ ସାଧୁସନ୍ଥମାନେ ଶ୍ରୀମନ୍‍ ନାରାୟଣଙ୍କ ଶରଣାପନ୍ନ ହେଲେ ଏବଂ ସିନ୍ଧୁରାସୁର କବଳରୁ ସେମାନଙ୍କୁ ରକ୍ଷା କରିବା ନିମନ୍ତେ ପ୍ରାର୍ଥନା କଲେ। ସାଧୁସନ୍ଥଗଣ ପ୍ରଭୁ ନାରାୟଣଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ, କାରଣ ପ୍ରଭୁ ନିଜେ ଉଦ୍‍-ଘୋଷଣା କରିଥିଲେ “ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ୍‍”, ଅର୍ଥାତ୍ – ସାଧୁ ପରିତ୍ରାଣ, ଦୁଷ୍ଟ ସଂହାର ଏବଂ ଧର୍ମ ସଂସ୍ଥାପନ ନିମନ୍ତେ ମୁଁ ଯୁଗେ ଯୁଗେ ଅବତିର୍ଣ୍ଣ ହୋଇଥାଏ। ପ୍ରଭୁ ନାରାୟଣ ଋଷିଗଣଙ୍କୁ ଆଶ୍ବାସନା ଦେଲେ, ଭୟ କରିବାର କୌଣସି କାରଣ ନାହିଁ ଏବଂ ସେ ସେମାନଙ୍କୁ ପ୍ରତିଶୃତି ଦେଲେ ଯେ ‘‘ସେ ଭଗବାନ ମହାଦେବ ଓ ଦେବୀ ପାର୍ବତୀଙ୍କ ପୁତ୍ର ରୂପେ ଅବତୀର୍ଣ୍ଣ ହୋଇ ସିନ୍ଧୁରାସୁରକୁ ବଧ କରିବେ।

ସମୟ ଅତିକ୍ରାନ୍ତେ ଦେବୀ ପାର୍ବତୀ ଗର୍ଭବତୀ ହେଲେ। ଏବେ ସିନ୍ଧୁରାସୁର ଅବଗତ ହେଲା ଯେ ମହାଦେବଙ୍କର ଯେଉଁ ପୁତ୍ର ଜାତ ହେବ ଯିଏ କି ଉତ୍ତମତାର ପ୍ରତୀକ, ସେ ତାକୁ ଧ୍ଵଂସ କରିବେ ଅର୍ଥାତ୍ ତାଙ୍କ ହାତରେ ସେ ମୃତ୍ୟୁବରଣ କରିବ। ତେଣୁ ଏକ ସୂକ୍ଷ୍ମ ସ୍ଵରୂପ ଧାରଣ କରି ସିନ୍ଧୁରାସୁର ଦେବୀ ପାର୍ବତୀଙ୍କ ଗର୍ଭ ମଧ୍ୟରେ ପ୍ରବେଶ କଲା ଓ ଗର୍ଭସ୍ଥ ଶିଶୁଟିର ଶିରେଚ୍ଛଦ କରି ଅଦୃଶ୍ୟ ହୋଇଗଲା।

ନଅମାସ ଅତିକ୍ରାନ୍ତ ହେଲାପରେ ଦେବୀ ପାର୍ବତୀ ଏକ ପୁତ୍ରସନ୍ତାନକୁ ଜନ୍ମଦେଲେ। ଯଦିଓ ଶିଶୁଟି ବିନା ମସ୍ତକରେ ଜନ୍ମଗ୍ରହଣ କରିଥିଲେ, ସେ ଶ୍ରୀମନ୍‍ ନାରାୟଣଙ୍କ ଅବତାର, ତାଙ୍କର ଅଂଶ ଥିବାରୁ ପ୍ରାଣବନ୍ତ ଥିଲେ। କିନ୍ତୁ ଦେବୀ ପାର୍ବତୀ ତାଙ୍କ ପୁତ୍ରକୁ ଦେଖିଲା ପରେ ନୈରାଶ୍ୟର ଚିତ୍କାର କରିଉଠିଲେ, “ଦେଖ ଦେଖ କ’ଣ ହୋଇଛି ? ଶିର ବିନା ପୁତ୍ରପ୍ରାପ୍ତିର କ’ଣ ଅର୍ଥ”? କିନ୍ତୁ ମହାଦେବ ତାଙ୍କୁ ସାନ୍ତ୍ବନା ଦେଲେ ଓ ବ୍ୟସ୍ତ ନ ହେବା ପାଇଁ କହିଲେ। ତାଙ୍କର ଜଣେ ଶିବଗଣ ବୀରଭଦ୍ରଙ୍କୁ ଡାକି ପୃଥିବୀର ଚତୁର୍ଦ୍ଦିଗରେ ଖୋଜି, ଦକ୍ଷିଣ ଦିଗକୁ ପାଦ କରି ଶୋଇଥିବା ଯେ କୌଣସି ପ୍ରାଣୀର ଶିର ଚ୍ଛେଦନ କରି ତାଙ୍କ ନିକଟକୁ ଆଣିବାକୁ ଆଦେଶ ଦେଲେ। ତଦନୁଯାୟୀ ବୀରଭଦ୍ର ସମଗ୍ର ପୃଥିବୀ ଖୋଜିଆସିଲେ, କିନ୍ତୁ ସେ ସେପରି ଅବସ୍ଥାରେ ଶୋଇଥିବା କୌଣସି ପ୍ରାଣୀଙ୍କୁ ଖୋଜିପାଇଲେ ନାହିଁ। କାରଣ ଶାସ୍ତ୍ର କହେ ଦକ୍ଷିଣ ଦିଗ, ମୃତ୍ୟୁ ଦେବତା ଯମଙ୍କ ବାସସ୍ଥାନ। ଯେହେତୁ ଯମଦେବତା ଦକ୍ଷିଣ ଦିଗରେ ଅବସ୍ଥାନ କରନ୍ତି, କେହି ବି ଦକ୍ଷିଣକୁ ପାଦ କରି ଶୋଇ ନ ଥିଲେ। କାରଣ ତାହାର ଅର୍ଥ ହେଉଛି ଯମଙ୍କ ଭୁବନକୁ ଯାତ୍ରା କରିବା । ସେ କାଳର ଲୋକମାନଙ୍କର ଶାସ୍ତ୍ରପୁରାଣ ଉପରେ ଅଗାଧ ବିଶ୍ବାସ ଥିଲା ଏବଂ ସେହିଯୋଗୁଁ ସେମାନେ ସେଥିରେ ଲିପିବଦ୍ଧ ସମସ୍ତ ନୀତିନିୟମକୁ ନିଜ ଦିନଚର୍ଯ୍ୟାରେ ପାଳନ କରୁଥିଲେ। ତେଣୁ ବୀରଭଦ୍ର କେବଳ ଗୋଟିଏ ହାତୀ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ବା ପ୍ରାଣୀକୁ ସେହି ଅବସ୍ଥାରେ ଶୋଇଥିବାର ପାଇଲେ ନାହିଁ। ସେ ମହାଦେବଙ୍କ ନିକଟକୁ ଆସି କହିଲେ “ହେ ଦେବ! ଏତେ ନିବିଡ ଅନ୍ବେଷଣ କଲାପରେ ମଧ୍ୟ ଦକ୍ଷିଣ ଦିଗକୁ ପାଦ କରି ଶୋଇଥିବା କୌଣସି ବ୍ୟକ୍ତିକୁ ମୁଁ ପାଇଲି ନାହିଁ। କେବଳ ଏକ ହାତୀକୁ ସେ ଅବସ୍ଥାରେ ଶୋଇଥିବାର ମୁଁ ଦେଖିଲି ଏବଂ ଆପଣ ଆଜ୍ଞା ଦେଲେ ମୁଁ ଯାଇ ତା’ର ଶିରଚ୍ଛେଦ କରି ନେଇ ଆସିବି”। ଦେବ ଦେବ ମହାଦେବ ସମ୍ମତି ଦେଲେ ଓ ବୀରଭଦ୍ର ହାତୀ ମୁଣ୍ଡ ଧରି ଫେରିଆସିଲେ, ଯାହାକୁ ଶିବ ତାଙ୍କ ସନ୍ତାନର ଶରୀରରେ ଯୋଡି ତାକୁ ପୁନର୍ଜୀବନ ପ୍ରଦାନ କଲେ ।

କିନ୍ତୁ ଦେବୀ ପାର୍ବତୀ ଏବେ ମଧ୍ୟ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼ିଥିଲେ ଏବଂ ମନେମନେ ଭାବୁଥିଲେ ଯେ ସାରା ଦୁନିଆ ମଣିଷ ଶରୀରରେ ହାତୀ ମୁଣ୍ଡ ଯୁକ୍ତ ତାଙ୍କ ଶିଶୁକୁ ଦେଖି ପରିହାସ କରିବ। କିନ୍ତୁ ମହାଦେବ ଆଶ୍ବାସନା ଦେଲେ, ‘ସେଥିପାଇଁ ଭୟ କର ନାହିଁ’ ଏବଂ ଉଦ୍‍-ଘୋଷଣା କଲେ, “ମୁଁ ଏହି ଶିଶୁକୁ ଆଶୀର୍ବାଦ କରୁଛି ଯେ ସେ ସମସ୍ତ ବିଦ୍ୟା ପ୍ରଦାନକାରୀ ବିଦ୍ୟାପତି ରୂପେ ଖ୍ୟାତ ହେବ ଏବଂ ସଂସାରର ସବୁ ବିଦ୍ବାନଗଣ ତାଙ୍କୁ ଉପାସନା କରିବେ ଓ ସମ୍ମାନ ପ୍ରଦର୍ଶନ କରିବେ। ସେ ବିଘ୍ନହର୍ତ୍ତା ଅର୍ଥାତ୍ ସବୁ ବାଧାବିଘ୍ନର ହରଣକାରୀ ଭାବେ ପରିଚିତ ହେବେ। ପ୍ରତ୍ୟେକ ଉତ୍ସବ ପୂର୍ବରୁ ଲୋକମାନେ ତାଙ୍କର ପୂଜା କରିବେ। ସେ ପୂଜାରେ ଅଗ୍ରସ୍ଥାନ ଅଧିକାର କରିବେ ଓ ପ୍ରସିଦ୍ଧି ଲାଭ କରିବେ”। ଏହା ଦେବୀ ପାର୍ବତୀଙ୍କୁ ସମ୍ପୂର୍ଣ୍ଣରୂପେ ସନ୍ତଷ୍ଟ କଲା। ତା’ପରେ ଧୀରେ ଧୀରେ ପ୍ରଭୁ ଗଣେଶ ବଡ଼ ହେବାକୁ ଲାଗିଲେ ଏବଂ କିଶୋର ଅବସ୍ଥାରେ ହିଁ ସେ ଯେଉଁ ଉଦ୍ଦେଶ୍ୟରେ ଆସିଥିଲେ ସେ ସମୟ ଉପନୀତ ହେଲା। ତେଣୁ ସେ ନର୍ମଦା ନଦୀ କୂଳରେ ସିନ୍ଧୁରାସୁର ସହ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ଥାନ କଲେ। ଏହା ଏକ ଦୀର୍ଘ ଓ ଭୟଙ୍କର ଯୁଦ୍ଧ ଥିଲା, ଯାହାର ଅନ୍ତେ ପ୍ରଭୁ ଗଣେଶଙ୍କ ଅସ୍ତ୍ର ପର୍ଶୁରେ ସିନ୍ଧୁରାସୁରର ନିଧନ ହେଲା ଓ ପ୍ରଭୁ ଗଣେଶ ଜୟଯୁକ୍ତ ହେଲେ। ଯେତେବେଳେ ସେ ତା’ର ଶିରଚ୍ଛେଦ କଲେ ସିନ୍ଧୁରାସୁର ଶରୀରର ରକ୍ତ ଛିଟିକି ଯାଇ ଗଣେଶଙ୍କ ଶରୀରକୁ ଆଚ୍ଛାଦିତ କରିଦେଲା। ସେଥିପାଇଁ ଗଣେଶଙ୍କ ଶରୀରକୁ ରକ୍ତ ବର୍ଣ୍ଣର ଶରୀର ବୋଲି ବର୍ଣ୍ଣନା କରଯାଇଥାଏ, ଯାହା ଶୂନ୍ୟ ଅର୍ଥାତ୍ ସତ୍ୟ ବା ଉତ୍ତମତାର ସମ୍ମୁଖୀନ ହେଉଥିବା ମନ୍ଦର ଭ୍ରମ ସୃଷ୍ଟି କରେ। ସେଇଥିପାଇଁ ନର୍ମଦା ନଦୀକୂଳରେ ମିଳୁଥିବା ଲାଲ ରଙ୍ଗର ପ୍ରସ୍ତର ଖଣ୍ଡକୁ ଗଣେଶ ରୂପେ ପୂଜା କରାଯାଏ।

ଯୁଦ୍ଧ ସମାପ୍ତ ହେଲା ପରେ ପ୍ରଭୁ ଗଣେଶ ନର୍ମଦା ନଦୀ କୂଳେ ବିଶ୍ରାମ ନେବାପାଇଁ ଏକ ଶୀତଳ ଓ ଛାୟାପ୍ରଦ ସ୍ଥାନ ଖୋଜିଲେ। ଶ୍ୟାମଳ ଦୂର୍ବାଦଳ ଦେଖି ଆରାମ ଲାଗିଲା ପର୍ଯ୍ୟନ୍ତ ସେଠାରେ ସେ ବିଶ୍ରାମ ନେଲେ ଏବଂ ଯେତେବେଳେ ସେ ଉଠିଲେ ସେ ଦୂର୍ବାଦଳକୁ ଆଶୀଷ ପ୍ରଦାନ କରି ଘୋଷଣା କଲେ ଯେ ତାଙ୍କୁ ଯିଏ ଦୁବ ଦେଇ ପୂଜା କରିବ, ସେ ପ୍ରୀତ ହେବେ। ତେଣୁ ପ୍ରଭୁ ଗଣେଶଙ୍କୁ ଏକ ବିଶେଷ ପ୍ରକାରର ଦୂବଘାସ ଦେଇ ପୂଜା କରାଯାଏ। (ଏହା କେବଳ ଗଣେଶଙ୍କୁ ଅର୍ପଣ କରାଯାଏ, ଅନ୍ୟ କେଉଁ ଦେବତାଙ୍କୁ ନୁହେଁ)। ଏହିପରି ପ୍ରଭୁ ଗଣେଶ ସିନ୍ଧୁରାସୁରକୁ ବଧ କରି ଶାନ୍ତି ଓ ଐକ୍ୟ ପ୍ରତିଷ୍ଠା କଲେ। ସମସ୍ତ ହିନ୍ଦୁ ପରିବାରରେ ପ୍ରତ୍ୟେକ ଉତ୍ସବ ଅନୁଷ୍ଠାନ ଯେପରି ଜନ୍ମୋତ୍ସବ ହେଉ ବା ବିବାହ କିମ୍ବା ସତ୍ୟନାରାୟଣ ପୂଜା ଅଥବା ନୂତନ ଗୃହ ପ୍ରତିଷ୍ଠା ହେଉ, ପ୍ରଭୁ ଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ । କାରଣ ସେ ହିଁ ବିଘ୍ନହର୍ତ୍ତା, ଯିଏ ସମସ୍ତ ବାଧାବିଘ୍ନକୁ ହରଣ କରିଥା’ନ୍ତି।

Illustrations by Sai Eashwaran, Sri Sathya Sai Balvikas Student.
[Source: Sri Sathya Sai Balvikas Guru Handbook Group I]

Leave a Reply

Your email address will not be published. Required fields are marked *