କରାଗ୍ରେ ବସତେ ଲକ୍ଷ୍ମୀ ଶ୍ଳୋକ – ଅତିରିକ୍ତ ପଠନ
କରାଗ୍ରେ ବସତେ ଲକ୍ଷ୍ମୀ ଶ୍ଳୋକ – ଅତିରିକ୍ତ ପଠନ
ବ୍ୟାଖ୍ୟା
ନିଷ୍ଠାର ସହ କଠିନ ପରିଶ୍ରମ କଲେ ଆମେ ସତ୍ ଉପାୟରେ ଅର୍ଥ ଉପାର୍ଜନ କରିପାରିବା। ସେଥି ନିମନ୍ତେ ଆମକୁ ସବୁ ଆଙ୍ଗୁଠିକୁ ଏକାଠି କରି ତାହା ସହଯୋଗରେ ଉତ୍ତମ କର୍ମ କରି ଧନ ଉପାର୍ଜନ କରି ପାରିବା। ତେଣୁ ଆମେ କହି ଥାଉ ଯେ ଧନର ଦେବୀ ଲକ୍ଷ୍ମୀ ଆମ ଆଙ୍ଗୁଠିର ଅଗ୍ର ଭାଗରେ ବାସ କରନ୍ତି, ଯିଏ ଆମକୁ ଉତ୍ତମ କର୍ମ କରି ସଦ୍ ଉପାୟରେ ଧନ ଉପାର୍ଜନ କରିବାକୁ ପ୍ରେରିତ କରନ୍ତି।
ଜ୍ଞାନ ଲାଭ କରିବା ନିମନ୍ତେ ଆମେ ପୁସ୍ତକକୁ ପାପୁଲିରେ ଧରି ଥାଉ ଏବଂ ପାପୁଲି ସାହାଯ୍ୟରେ ବହି ପଢ଼ୁ ବା ଲେଖୁ। ତେଣୁ ଆମେ କହୁ ଯେ ବିଦ୍ୟା ଓ ପ୍ରଜ୍ଞାର ଦେବୀ ସରସ୍ଵତୀ ଆମ ହାତ ପାପୁଲିର ମଧ୍ୟ ଭାଗରେ ବାସ କରନ୍ତି, ଯିଏ ଆମକୁ ଆମ ପାପୁଲିରେ ପୁସ୍ତକ ଧାରଣ କରିବାକୁ ଏବଂ ସମ୍ପୂର୍ଣ୍ଣ ଏକାଗ୍ରତାର ସହ ଅଧ୍ୟୟନ କରି ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିଥାନ୍ତି। ହାତ ପାପୁଲିର ନିମ୍ନାଶଂ (ମୂଳ) ର ଯଥା ଯଥ ସଂଚାଳନ ହିଁ ଆମକୁ ଅନ୍ୟମାନଙ୍କର ତଥା ସର୍ପ ଆଦି ହିଂସ୍ର ଜୀବଜନ୍ତୁ ମାନଙ୍କ ଆକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ତେଣୁ ଆମେ କହିଥାଉ ଯେ ପ୍ରଭୁ ଗୋବିନ୍ଦ ବା ଭଗବାନ ଯିଏ ସଂସାରର ସୁରକ୍ଷା ଓ ପ୍ରତିପାଳନ କରନ୍ତି, ବିଷ୍ଣୁ ଆମ ହାତ ପାପୁଲିର ନିମ୍ନ ଅଂଶରେ ଅବସ୍ଥାନ କରନ୍ତି ଏବଂ ଅନ୍ୟର ଆକ୍ରମଣରୁ ଆମକୁ ରକ୍ଷା କରନ୍ତି । ତଥା ଆମର ସମସ୍ତ ଉତ୍ତମ କାର୍ଯ୍ୟ ଓ ଉଦ୍ୟମର ପୂର୍ତ୍ତି ନିମନ୍ତେ ଆମକୁ ପ୍ରେରଣା ଦିଅନ୍ତି, ପାଳନ କରନ୍ତି ଓ ମାର୍ଗଦର୍ଶନ କରନ୍ତି।
ସୁନ୍ଦର ହସ୍ତର କାହାଣୀ:
ଥରେ ଈଶ୍ଵର ତାଙ୍କର ପରୀକୁ ସୁନ୍ଦରତମ ହାତ ଅନ୍ୱେଷଣରେ ପ୍ରେରଣ କଲେ। ସେ କହିଲେ, “ଯାଅ ଏବଂ ପୃଥିବୀରୁ ସୁନ୍ଦର ହାତ ଥିବା ଏକ ମନୁଷ୍ୟକୁ ନେଇ ଆସ।”
ପରୀଜଣକ ମଧ୍ୟରାତ୍ରୀରେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଲେ, ଭାବିଲେ ରାତିରେ ସମସ୍ତେ ବିଶ୍ରାମ ନେଉଥିବେ। ତେଣୁ ଅତି ନିକଟରୁ ସମସ୍ତଙ୍କ ହାତକୁ ନିରୀକ୍ଷଣ କରିବାର କାର୍ଯ୍ୟ ସହଜ ହୋଇଯିବ।
ପରୀ ଜଣକ ପ୍ରଥମେ ଏହା ଭାବି ରାଜପ୍ରସାଦକୁ ପ୍ରବେଶ କଲେ ଯେ, ମଣି ମୁକ୍ତାର ଅଳଙ୍କାରରେ ସଜ୍ଜିତ ହୋଇଥିବା ରାଣୀଙ୍କ ହାତ ସବୁଠାରୁ ଅଧିକ ସୁନ୍ଦର ହୋଇଥିବ। କିନ୍ତୁ ସେ ଯେତେବେଳେ ରାଣୀଙ୍କ କକ୍ଷକୁ ପ୍ରବେଶ କଲେ, କୋଠରୀଟି ଦୁର୍ଗନ୍ଧରେ ଭରି ରହିଥିଲା। ଏହା ରାଣୀଙ୍କ ମନ୍ଦ କର୍ମର ଦୁର୍ଗନ୍ଧ ଥିଲା। ତାଙ୍କର ହାତ ଅନେକ ନିଷ୍ଠୁର କର୍ମ କରିଥିଲା। ରାଜାଙ୍କ ହାତ ମଧ୍ୟ ସେହି ପରି ଥିଲା। ତାପରେ ପରୀ ସମସ୍ତ ସମ୍ଭ୍ରାନ୍ତ, ଉଚ୍ଚ ବଂଶଜ, ଆଭିଜାତ୍ୟ ସମ୍ପନ୍ନ ବ୍ୟବସାୟୀମାନଙ୍କ ଗୃହକୁ ଗଲେ। ସେ ଭାବୁଥିଲେ ଯେ ଏମାନଙ୍କ ହାତ ନିଶ୍ଚୟ ଭଲ କାମ କରିଥିବ ତେଣୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ହୋଇଥିବ। କିନ୍ତୁ ନିରାଶ ହେଲେ। ତାପରେ ପରୀ ଜଣକ ଆନନ୍ଦରେ ମଠ ଆଶ୍ରମ ଆଡ଼କୁ ମୁହାଁଇଲେ। ସେ ଭାବୁଥିଲେ ଅନ୍ତତଃ ଜଣେ ମଠାଧୀଶ/ ସନ୍ନ୍ୟାସୀଙ୍କ ହସ୍ତ ଯୁଗଳ ସୁନ୍ଦର ହୋଇଥିବ। କିନ୍ତୁ ହାୟ! ସେଠି ମଧ୍ୟ ସେ ନିରାଶ ହେଲେ । ପୂଣ୍ୟ କରିବା ଆଳରେ ସେମାନଙ୍କ ହାତ ମଧ୍ୟ ଅନେକ ପାପ କରିଥିଲା। ସେମାନେ ମଧ୍ୟ ଅହଙ୍କାରରେ ପରିପୂର୍ଣ୍ଣ ଥିଲେ। ପରୀ ଭାରି ଦୁଃଖୀତ ହେଲେ। ଦୁଃଖପୂର୍ଣ୍ଣ ହୃଦୟରେ ଖୋଲା ପଡିଆକୁ ଆସି ସେ ଏକ ଗଛ ତଳେ ବସିଲେ। ସେ ଚିନ୍ତା କରୁଥାନ୍ତି ତାଙ୍କୁ ଯେଉଁ କାର୍ଯ୍ୟଭାର ଦିଆ ହୋଇଥିଲା ତାକୁ ସମାପ୍ତ ନ କରି କେମିତି ପ୍ରଭୁଙ୍କୁ ସାମନା କରିବେ। ହଠାତ୍ କେଉଁଠୁ କେଜାଣି ଏକ ମନମୁଗ୍ଧକର ସୁଗନ୍ଧ ତାଙ୍କ ଆଡ଼କୁ ବୋହି ଆସିଲା। ସେ ଚତୁର୍ପାର୍ଶ୍ଵ କୁ ଚାହିଁଲେ ଓ କୌଣସି ସୁଗନ୍ଧିତ ବୃକ୍ଷ ଲତା ତଥା ପୁଷ୍ପ ଆଦି ଦେଖିଲେ ନାହିଁ। ସେ ଅନ୍ଧକାରରେ ଚାରିଆଡ଼େ ଖୋଜିପକାଇଲେ।
ପରୀଜଣକ ଦେଖିଲେ ଖୋଲା ପଡ଼ିଆରେ ଚାଷୀଟିଏ ଶୋଇଛି। ସେ ତଳକୁ ନଇଁପଡ଼ି ତାର ହାତକୁ ନିରୀକ୍ଷଣ କଲେ। ଏହା ଯଦିଓ ଖଦ ଖଦଡିଆ ଓ ମାଟିଆ ଥିଲା, ତଥାପି ତାହା ଉଜ୍ୱଳ ଓ ଚକ୍ ଚକ୍ ଦିଶୁଥିଲା। ଚାଷୀଟି ଗଭୀର ନିଦ୍ରାରେ ଶୋଇ ଥିଲା। କିନ୍ତୁ ତା’ ହାତ ପାପୁଲିରୁ ସୁଗନ୍ଧ ଭାସି ଆସି ବାତା ବରଣକୁ ଶୀତଳ ଓ ପ୍ରୀତିକର କରିଦେଇଥିଲା।
ପରୀ ଚାଷୀକୁ ପ୍ରଭୁଙ୍କ ପାଖକୁ ନେଇ ଆସିଲେ। କିନ୍ତୁ ସେ ସମସ୍ୟାରେ ପଡିଯାଇଥିଲେ। ପରୀ ପ୍ରଭୁଙ୍କୁ ପଚାରିଲେ ରାଜା ରାଣୀଙ୍କ ଠାରୁ ଚାଷୀର ହାତ କେମିତି ସୁନ୍ଦର ହେଲା। ପରୀ ସଠିକ୍ ବିବେଚନା କରିଥିବାରୁ ପ୍ରଭୁ ଆନନ୍ଦିତ ହେଲେ। ସେ ପରିକୁ ବୁଝାଇଲେ ଯେ ଚାଷୀଟି ଭଗଵାନଙ୍କ ନିକଟରେ କୃତଜ୍ଞ ଥିଲା ଯେ ସେ ତାକୁ କାମ କରିବା ନିମନ୍ତେ ଦୁଇଟି ଶକ୍ତିଶାଳୀ ହାତ ଦେଇଛନ୍ତି। ସେ ଏହା ମଧ୍ୟ ଜାଣିଥିଲା ଯେ ତାର ହାତ ଦୁଇଟି କେବଳ ମାତ୍ର ଉପକରଣ ଏବଂ ସେ ତାହାକୁ ଭଗଵାନଙ୍କ କାମରେ ନିୟୋଜିତ କରିବା ନିମନ୍ତେ ହିଁ ଉପଯୋଗ କରିବ।
ସେଥିପାଇଁ ଚାଷୀଟି ଜ୍ଞାନ ଆହରଣ କରିବା ଓ ସେହି ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟିବାରେ ତା’ର ହାତକୁ ବ୍ୟବହାର କରିଥିଲା। ସେ ଏହାକୁ ବ୍ୟବହାର କରି ଶସ୍ୟ ଉତ୍ପାଦନ ପୂର୍ବକ ନିଜକୁ ସମୃଦ୍ଧିଶାଳୀ କରିପାରିଲା। ସେ ଦରିଦ୍ରଙ୍କୁ ମଧ୍ୟ ଶସ୍ୟଦାନ କରିବାରେ ହାତକୁ ବ୍ୟବହାର କଲା। ସେହି ହାତରେ ଅନ୍ୟମାନଙ୍କ କ୍ଷତକୁ ଆରୋଗ୍ୟ ମଧ୍ୟ କଲା। ସେ ନିଜ ସଫଳତାରେ କେବେବି ଗର୍ବିତ ନଥିଲା ବରଂ ଈଶ୍ୱରଙ୍କ ସମ୍ମୁଖରେ ସର୍ବଦା ହାତ ଯୋଡ଼ି ପ୍ରଣାମ କରୁଥିଲା। ଏହିପରି ସ୍ୱ ଉଦ୍ୟମରେ ଚାଷୀଟି ଜ୍ଞାନ, ଧନ ଓ ସମୃଦ୍ଧି ହାସଲ କଲା ଏବଂ ଏହି ମହାନ୍ କର୍ମ ଯୋଗୁଁ ବର୍ତ୍ତମାନ ଈଶ୍ୱରଙ୍କ ନିକଟରେ ମଧ୍ୟ ପହଞ୍ଚିପାରିଲା, ଏବଂ ତାଙ୍କଠାରେ ଲୀନ ହୋଇଗଲା। ଏହିପରି ଭାବରେ ଚାଷୀ ଦୈବତ୍ୱ ପ୍ରାପ୍ତ କରିଥିଲା|
[Illustrations by Dhanusri, Sri Sathya Sai Balvikas Student]
[Source: Gurus Handbook – Group I First Year]